ଅଲୌକିକ ଶକ୍ତିର ପୀଠ ବାବା ବାଲୁଙ୍କେଶ୍ୱର: ୪୨ ମୌଜା ଦେଉଳି ଗ୍ରାମରେ ବିଶ୍ୱଶାନ୍ତି ନିମନ୍ତେ ପୂଜାର୍ଚ୍ଚନା

କଟକ ରାଜ୍ୟ
Spread the love

କଟକ, ୧୪/୦୧  : କଟକ ଜିଲ୍ଲା ନିକଟବର୍ତ୍ତୀ ୪୨ ମୌଜା ଅନ୍ତର୍ଗତ ଦେଉଳି ଗ୍ରାମରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ। ଏହି ପୁରାତନ ପୀଠର ମହିମା ଅପାର। ପ୍ରଭୁ ଏଠାରେ ‘ପାତାଳଫୁଟା’ ଲିଙ୍ଗ ରୂପେ ଆବିର୍ଭାବ ହୋଇ ଭକ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରୁଛନ୍ତି। ସେ ମଙ୍ଗଳମୟ, ସର୍ବଶକ୍ତିମାନ ଏବଂ ସର୍ବବ୍ୟାପୀ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କର ଅତି ପ୍ରିୟ। ତାଙ୍କ ନାମ ସ୍ମରଣ ମାତ୍ରେ ସମସ୍ତ ରୋଗରୁ ମୁକ୍ତି ମିଳେ ବୋଲି ଶ୍ରଦ୍ଧାଳୁଙ୍କର ଅଗାଧ ବିଶ୍ୱାସ ରହିଛି।

ଐତିହାସିକ ପୃଷ୍ଠଭୂମି ଓ ଆବିର୍ଭାବ:
ଲୋକକଥା ଅନୁସାରେ, ଏହି ପୀଠ ପ୍ରାୟ ୩୩୦ ବର୍ଷ ତଳର। ସିଡୁଆ ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ଏକ ନିଘଞ୍ଚ ଜଙ୍ଗଲ ମଧ୍ୟରେ ମଧୁରୀ ଲତା ମାଡ଼ିଥିବା ଏକ ହୁଙ୍କା ଉପରେ ଗାଈ ଆପେ ଆପେ କ୍ଷୀର ଢାଳୁଥିଲା। ଏହାପରେ ପ୍ରଭୁ ସ୍ୱପ୍ନାଦେଶ ଦେଇଥିଲେ ଏବଂ ଦେଉଳି ଗ୍ରାମବାସୀ ଖନନ କରିବା ପରେ ଅଷ୍ଟଦଳ ପଦ୍ମ ସହ ଶକ୍ତି ଓ ଲିଙ୍ଗ ରୂପେ ବାବା ପ୍ରକଟ ହୋଇଥିଲେ। ସେବେଠାରୁ ଏହି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଥିଲା।

ଅଲୌକିକ ମହିମା ଓ ବିଶ୍ୱାସ:
ପ୍ରଭୁ ବାଲୁଙ୍କେଶ୍ୱରଙ୍କ ଲୀଳା ଅବର୍ଣ୍ଣନୀୟ। ଦୂରଦୂରାନ୍ତରୁ ରୋଗୀମାନେ ଆସି ଏଠାରେ ଆରୋଗ୍ୟ ଲାଭ କରନ୍ତି। ଗ୍ରହରିଷ୍ଟ ଖଣ୍ଡନ ହେବା ସହ ସନ୍ତାନହୀନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ହୁଏ। ନିଶାର୍ଦ୍ଧ ରାତିରେ ମନ୍ଦିର ପରିସରରେ ବିରାଟ ଅଗ୍ନି ପିଣ୍ଡୁଳା ବୁଲିବା, ସୁ ସୁ ଗର୍ଜନ ଶୁଣାଯିବା ଏବଂ ପାଦୁକ ଗର୍ଭରୁ ଅଲୌକିକ ଭାବେ ‘ଭୂତି’ ବା ବିଭୂତି ନିର୍ଗତ ହେବା ଭଳି ଅନେକ ଜ୍ୱଳନ୍ତ ପ୍ରମାଣ ଭକ୍ତ ଓ ସେବକମାନେ ଅନୁଭବ କରିଛନ୍ତି। ପ୍ରଭୁଙ୍କ ସେବା ପାଇଁ ନଅ ଘର ସେବକ ନିଯୋଗ ନିୟୋଜିତ ଅଛନ୍ତି।

ନୀତିକାନ୍ତି ଓ ପର୍ବପର୍ବାଣୀ:
ମନ୍ଦିରରେ ପ୍ରଭୁଙ୍କ ନିକଟରେ ଜଳାଭିଷେକ, ରୁଦ୍ରାଭିଷେକ ଏବଂ ଗୋ-ଘୃତରେ ଆହୁତି ପ୍ରଦାନ ଅତୀବ ଫଳପ୍ରଦ ହୋଇଥାଏ। ଏହି ପୀଠରେ ବର୍ଷସାରା ରାମଲୀଳା, ବିଶ୍ୱଶାନ୍ତି ମହାଯଜ୍ଞ, ଜାଗର ମହାଦୀପ, ଶ୍ରୀରାମ ନବମୀ, ଦୋଳ ଯାତ୍ରା, ଶୀତଳଷଷ୍ଠୀ ଏବଂ ହରିହର ଭେଟ ଭଳି ଅନେକ ଉତ୍ସବ ପାଳନ କରାଯାଏ। ପ୍ରଭୁଙ୍କୁ ଅନ୍ତରରୁ ଡାକିଲେ ସତ୍ୟ, ଶାନ୍ତି, ଦୟା ଓ ମୋକ୍ଷ ପ୍ରାପ୍ତି ହୁଏ।

ବାବାଙ୍କ ନାମର ମାହାତ୍ମ୍ୟ (ସ୍ତୁତି):

  • ଓଁ: ଓଁକାର ମୂରତି ପ୍ରଭୁ ଜୟ ସୃଷ୍ଟିକର୍ତ୍ତା, ଅକ୍ଷର ଶ୍ରେଷ୍ଠ ମନ୍ତ୍ର ଗତି ମୁକ୍ତିଦାତା।

  • ବା: ବାବା ଦୟାଳୁ ଠାକୁର ଭକତ ବତ୍ସଳ, ବାର ତୀର୍ଥେ ରହି ଦୁଃଖ ନିବାର ସକଳ।

  • ଲୁ: ଲୁହ ଲହୁ ଏକ କରି ଡାକେ ଯେ ତୁମ୍ଭଙ୍କୁ, କ୍ଷମାଦଣ୍ଡ ଲଭି ଯାଏ କୈଳାସ ପୁରକୁ।

  • ଙ୍କେ: କେମନ୍ତେ ରହିବେ ସର୍ବେ ବିଷ ପାନ କଲ, କେତେ କଷ୍ଟେ ସୃଷ୍ଟି ରଖି ନୀଳକଣ୍ଠ ହେଲ।

  • ଶ୍ୱ: ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ ହୁଏ ଜୟଧ୍ୱନି, ସର୍ବଦେବ ସ୍ତୁତି କଲେ ଅଟ ମହାଜ୍ଞାନୀ।

  • ର: ରହିଛି ରହିଲା ଯଶ ଯୁଗ ଯୁଗ ଧରି, ରଖିଅଛ ପତିତଙ୍କୁ କରିଲେ ଗୁହାରି।

ନୂତନ ବର୍ଷର କଲ୍ୟାଣ ନିମନ୍ତେ ପୂଜାର୍ଚ୍ଚନା:
ସାମ୍ପ୍ରତିକ ସମୟରେ ବିଶ୍ୱର କଲ୍ୟାଣ, ଗ୍ରାମ ଓ ଅଞ୍ଚଳର ମଙ୍ଗଳ ତଥା ଧରିତ୍ରୀ ଶସ୍ୟଶ୍ୟାମଳା ହେବା କାମନା କରି ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରବାଦୀ ସଂଘର ସଭାପତି ତଥା ବିଶିଷ୍ଟ ଯନ୍ତ୍ରୀ ଗିରିଜା ଶଙ୍କର ପତି ଏବଂ ପୂଜକ ଜୟକୃଷ୍ଣ ନାୟକ ସମସ୍ତ ସହଯୋଗୀଙ୍କୁ ନେଇ ପ୍ରଭୁଙ୍କ ନିକଟରେ ଜଳାଭିଷେକ ଓ ପୂଜାପାଠ କରିଥିଲେ। ସମସ୍ତଙ୍କ ପାଇଁ ନୂତନ ବର୍ଷ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ବୋଲି ବାବା ବାଲୁଙ୍କେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

Leave a Reply

Your email address will not be published. Required fields are marked *