ଝଙ୍କଡ଼ ସାରଳା ପୀଠରେ ପାରମ୍ପରିକ ‘ମକରବେଢ଼ା ପରିକ୍ରମା’: ଦର୍ଶନରୁ ବଞ୍ଚିତ ହେଲେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ

ରାଜ୍ୟ
Spread the love

ଝଙ୍କଡ଼ (୧୪/୦୧/୨୦୨୬) : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ପୀଠରେ ପବିତ୍ର ମକର ପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାସମାରୋହରେ ପାଳିତ ହୋଇଯାଇଛି। ଆବାହମାନ କାଳରୁ ପ୍ରଚଳିତ ଏହି ନିଆରା ପରମ୍ପରା ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଛି।

ପାରମ୍ପରିକ ନୀତିକାନ୍ତି:
ମକର ସଂକ୍ରାନ୍ତିର ପୂର୍ବଦିନ ଅର୍ଥାତ୍ ମାସନ୍ତ ରାତିରେ ମା’ଙ୍କ ବଡ଼ସିଂହାର ଓ ଭୋଗପୂଜା ପରେ, ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ବର୍ଣ୍ଣାଢ୍ୟ ପଟୁଆରରେ ମନ୍ଦିର ବେଢ଼ା ନଅଥର ପରିକ୍ରମା କରାଯାଇଥିଲା। ଏହାପରେ ମା’ଙ୍କୁ ପୁନର୍ବାର ସିଂହାସନରେ ଅଭିଷିକ୍ତ କରାଯାଇଥିଲା। ପରଦିନ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ପ୍ରହର ଧୂପ ପୂର୍ବରୁ ମା’ଙ୍କ ମାଳଚୁଳ, ପଞ୍ଚଉପଚାର ଓ ମକର ଚାଉଳକୁ ବଡ଼ପଣ୍ଡା, ପରିଛା ଓ ସେବାୟତମାନେ ରତ୍ନଥାଳିରେ ସଜାଇ ତିନିଥର ବେଢ଼ା ପରିକ୍ରମା କରାଇଥିଲେ। ପରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ପ୍ରସ୍ତୁତ ମକର ଚାଉଳ ମା’ଙ୍କ ନିକଟରେ ଭୋଗ ଲାଗି ହୋଇଥିଲା।

ପରିଚାଳନା ଓ ଅବ୍ୟବସ୍ଥା:
ମକର ସଂକ୍ରାନ୍ତି ଦିନ ପ୍ରବଳ ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବସନ୍ତ ବଗିଚାଠାରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଥିଲା, ଯାହା ଚଳିତ ବର୍ଷ ୪୫,୧୦୦ ଟଙ୍କାରେ ନିଲାମ ହୋଇଥିଲା। କିନ୍ତୁ ଏହି ଭିଡ଼ ମଧ୍ୟରେ ମନ୍ଦିର ପ୍ରଶାସନର ଏକ ବଡ଼ ଅବ୍ୟବସ୍ଥା ପଦାରେ ପଡ଼ିଛି। ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ ଭିନ୍ନକ୍ଷମ, ରୋଗୀ ଓ ବରିଷ୍ଠ ନାଗରିକଙ୍କ ନିମନ୍ତେ କୌଣସି ଅଟୋରିକ୍ସା ବା ସ୍ୱତନ୍ତ୍ର ଯାନର ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ବହୁ ଦୂରରୁ ଆସିଥିବା ଶତାଧିକ ଅସହାୟ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିନପାରି ନିରାଶରେ ଫେରିଯାଇଥିବାର ଦେଖିବାକୁ ମିଳିଥିଲା।

ସାଧାରଣରେ ଅସନ୍ତୋଷ:
ବାରମ୍ବାର ଦାବି ସତ୍ତ୍ୱେ କେବଳ ମକର ସଂକ୍ରାନ୍ତି ନୁହେଁ, ବରଂ ମହାବିଷୁବ ସଂକ୍ରାନ୍ତି, ରଜ, ପାର୍ବଣ ଓ ନବବର୍ଷ ଭଳି ପ୍ରମୁଖ ଦିନମାନଙ୍କରେ ମଧ୍ୟ ଭକ୍ତମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦେଇ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Leave a Reply

Your email address will not be published. Required fields are marked *