କଟକ : ଚୌଦ୍ୱାର ଜେଲରୁ ଫେରାର ହୋଇଥିବା କଏଦୀଙ୍କୁ ଧରିବାରେ କଟକ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଗତ ଅକ୍ଟୋବର ମାସରେ ଦଶହରା ସମୟରେ ଜେଲର କଡ଼ା ସୁରକ୍ଷା ବଳୟକୁ ଚ୍ୟାଲେଞ୍ଜ କରି ଚମ୍ପଟ ମାରିଥିବା ଦୁଇ କଏଦୀଙ୍କ ମଧ୍ୟରୁ ଜଣକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ଦଶହରା ଉତ୍ସବ ଚାଲିଥିବା ସମୟରେ ଦୁଇଜଣ କଏଦୀ ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଥିଲା। ଘଟଣାର ଦୀର୍ଘ ୫ ମାସ ପରେ, ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ଏକ ମଠରୁ ଜଣେ କଏଦୀଙ୍କୁ କାବୁ କରିବାରେ ପୋଲିସ ସମର୍ଥ ହୋଇଛି। ଏ ନେଇ ଡିଜିପିଙ୍କ ସୂତ୍ରରୁ ସୂଚନା ମିଳିଛି।

କଏଦୀମାନେ ଫେରାର ହେବା ପରଠାରୁ କମିଶନରେଟ ପୋଲିସ ସେମାନଙ୍କୁ ଧରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଡେରା ପକାଇ ତଲାସି ଜାରି ରଖିଥିଲା। ପୋଲିସର ଏହି ନିରନ୍ତର ପ୍ରଚେଷ୍ଟା ଶେଷରେ ସଫଳ ହୋଇଛି।
ଗିରଫ କଏଦୀଙ୍କୁ କଟକ ଅଣାଯାଉଥିବା ବେଳେ, ଅନ୍ୟ ଜଣେ ଫେରାର କଏଦୀଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି। ଜେଲରୁ କଏଦୀ ଫେରାର ହେବା ଭଳି ସଂବେଦନଶୀଳ ମାମଲାରେ ଜଣେ ଗିରଫ ହେବା ପରେ ଏବେ ଅନ୍ୟ ଜଣଙ୍କ ଉପରେ ପୋଲିସର ନଜର ରହିଛି।
