କଟକ: ଏସ୍ସିବି ମେଡିକାଲ ଟ୍ରମା ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡର ଯେମିତି ପୁନରାବୃତ୍ତି ନହୁଏ ସେଥିପାଇଁ ବିଶ୍ବସ୍ତରୀୟ ଏସ୍ସିବି କୋଠାରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୋଟିଏ ବଖରାରେ ନିଆଁ ଲାଗିଲେ ଯେମିତି ଆଉ ଏକ ବଖରାକୁ ନ ବ୍ୟାପିବ ସେଥିପାଇଁ ଫାୟାର୍ ଡୋର୍ ଲଗାଯାଇଛି। ଯେଉଁ ବିଦ୍ୟୁତ୍ ତାର ବ୍ୟବହାର ହୋଇଛି, ନିଆଁ ଲାଗିବାର ଦୁଇଘଣ୍ଟା ଯାଏଁ ବି ତାହା ନଷ୍ଟ ହେବ ନାହିଁ। ନିଆଁ ଲାଗିଥିବା ବଖରାରୁ ସ୍ବୟଂଚାଳିତ ଭାବେ ଧୂଆଁ ବାହାରକୁ କାଢ଼ିବା ଓ ଭିତରକୁ ତାଜା ପବନ ଆଣିବା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଫଳରେ ଶ୍ବାସରୁଦ୍ଧ ହୋଇ ଏଣିକି ରୋଗୀ ବିପଦରେ ପଡ଼ିବେ ନାହିଁ।
ଏସ୍ସିବିର ଅତ୍ୟାଧୁନିକ ମେଡିକାଲ୍ କୋଠା ପାଇଁ ୨ ହଜାର ୬୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚାରି ଟାୱାର୍ରେ ଥିବା କୋଠାରେ ୨ ହଜାର ୫୮ଟି ବେଡ୍ ରହିବ। ଜେନେରାଲ୍ ମେଡିସିନ୍ ସମେତ ନେଫ୍ରୋଲୋଜି, ହେମାଟୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ସ୍ପେସିଆଲାଇଜ୍ଡ ସର୍ଜରି, ଜେନେରାଲ୍ ସର୍ଜରି ଓ ଟ୍ରମା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଖୋଲିବାକୁ ଯାଉଥିବା ବେଳେ ଯେଭଳି କୌଣସି ପ୍ରକାର ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ନ ଘଟେ ସେଥିପାଇଁ ଅତ୍ୟାଧୁନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଯଦି ଗୋଟିଏ ବଖରାରେ ଅଗ୍ନିକାଣ୍ଡ ହେଲା ତେବେ ଏହା ଚାରିପଟେ ଥିବା ଫାୟାର୍ ଡୋର୍ ସ୍ବୟଂଚାଳିତ ଭାବେ ବନ୍ଦ ହୋଇଯିବ। ଅର୍ଥାତ୍ ଗୋଟିଏ ବଖରାରୁ ଅନ୍ୟ ଏକ ବଖରାକୁ ନିଆଁ ବ୍ୟାପିବ ନାହିଁ। ବଖରାରେ ଧୂଆଁ ହେବା ମାତ୍ରକେ ସ୍ବୟଂଚାଳିତ ଭାବେ ଡୋର୍ ବନ୍ଦ ହୋଇଯିବ। ଉକ୍ତ ବଖରାରେ ନିଆଁ ଲାଗିଲେ ଝରକା ଗ୍ଲାସ୍ ବାଟେ ବି ଅନ୍ୟ ମହଲାକୁ ବ୍ୟାପିପାରିବ ନାହିଁ। ପ୍ରତି ବଖରାରେ ସ୍ପ୍ରିଙ୍କଲର୍ ଲାଗିଥିବା ବେଳେ ଏହା ସ୍ବୟଂଚାଳିତ ଭାବେ କାମ କରିବ।
ପ୍ରତି ୩ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ସ୍ପ୍ରିଙ୍କଲର୍ ରଖାଯାଇଛି। ଅଗ୍ନିକାଣ୍ଡ ହେଲେ ହଠାତ୍ ଉକ୍ତ ବଖରାର ସେଣ୍ଟ୍ରାଲ୍ ଏସି ସ୍ବୟଂଚାଳିତ ଭାବେ ବନ୍ଦ ହୋଇଯିବ। ସେହି ରାସ୍ତାରେ ବଖରା ଭିତରେ ଥିବା ଧୂଆଁ ବାହାରକୁ ଯିବ। ବାହାରୁ ତାଜା ପବନ ଭିତରକୁ ଆଣିବାରେ ଏହି ସେଣ୍ଟ୍ରାଲ୍ ଏସି ସାହାଯ୍ୟ କରିବ। ଅଗ୍ନିକାଣ୍ଡ ସମୟରେ ଧୂଆଁ ଯୋଗୁଁ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବାରୁ ଯେଭଳି ରୋଗୀ ଅଙ୍ଗାରକାମ୍ଳ ଯୋଗୁଁ ଅଣନିଃଶ୍ବାସୀ ହେବେ ନାହିଁ, ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। କୋଠାରେ ଅଗ୍ନିକାଣ୍ଡ ହେଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବନାହିଁ। ଲିଫ୍ଟ ବି ଚାଲିବ। ଯେଉଁ ଇଲେକ୍ଟ୍ରି ତାର ବ୍ୟବହାର ହୋଇଛି, ଦୁଇଘଣ୍ଟା ଯାଏଁ ନିଆଁ ଜଳିଲେ ବି ତାହା ପୋଡ଼ିବ ନାହିଁ। ଫଳରେ କୋଠାରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବ ନାହିଁ। ଦୁଇ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିବାକୁ ସୁଯୋଗ ମିଳିବ ବୋଲି ଏସ୍ସିବି ମେଡିକାଲ୍ ପକ୍ଷରୁ ସୂଚନା ମିଳିଛି।
