ଅନୁଗୁଳ: ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ହେଉଛି ତାଳଚେର। ଦ୍ବିତୀୟରେ ରହିଛି ଅନୁଗୁଳ। ଆଇକ୍ୟୁଏୟାର ପକ୍ଷରୁ ୨୦୨୫ ମସିହା ପାଇଁ ପ୍ରକାଶିତ ପ୍ରଦୂଷିତ ସହର ତାଲିକାରେ ଏହି ଦୁଇ ସହର ଶୀର୍ଷରେ ରହି ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ବର୍ଷକୁ ୬ ମାସ ଏଠାକାର ଲୋକମାନେ ସ୍ବଚ୍ଛ ବାୟୁ ପାଉ ନାହାନ୍ତି। ଖିଣି, ଖଦାନ ଓ କଳକାରଖାନା ପାଇଁ ଅନୁଗୁଳ ଓ ତାଳଚେର ସହରର ପାଣି ପବନରେ ବିଷ ଭରିଗଲାଣି। ଗତ ଦୀପାବଳି ପରେ ଅନୁଗୁଳ ଓ ତାଳଚେର ସହରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଲଗାତାର ଭାବେ ୩ଶହ ଉପରେ ରହୁଥିଲା। ଡିସେମ୍ବର ମାସରେ ଏକ୍ୟୁଆଇ ୩୪୬ରେ ପହଞ୍ଚି ଯାଇଥିଲା। ଜାନୁଆରିରେ ସ୍ଥିତି ଅଧିକ ବିଗିଡ଼ିବା ସହ ମାସର ଅଧା ଦିନ ୩ଶହ ଉପରେ ଏକ୍ୟୁଆଇ ରହିଥିଲା। ତାଳଚେର ସହରରେ ଗତ ଜାନୁଆରି ୨ରେ ଏକ୍ୟୁଆଇ ୩୮୦ ଛୁଇଁଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଲୋକମାନେ ବିନା ମାସ୍କରେ ଘରୁ ବାହାରିବାକୁ ଡରିଥିଲେ। ଆଉ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହାର ପ୍ରଭାବ ପଡ଼ିଛି। ଦେଶର ପ୍ରଦୂଷିତ ସହର ତାଲିକାରେ ତାଳଚେର ୧୫ ତମ ସ୍ଥାନରେ ରହିଥିଲା ବେଳେ ଅନୁଗୁଳ ୨୭ତମ ସ୍ଥାନରେ ରହିଛି।
ପିଏମ୍ ୨.୫ ମାତ୍ରା ଆଧାରରେ ହୋଇଥିବା ଏହି ରିପୋର୍ଟ ଅନୁସାରେ, ଲୋନି ଦେଶର ସର୍ବାଧିକ ପ୍ରଦୂଷିତ ସହର ହୋଇଥିଲା ବେଳେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ପ୍ରଦୂଷିତ ସହର ତାଲିକାର ଶୀର୍ଷ ୫୦ ଭିତରେ ଓଡ଼ିଶାର ତାଳଚେର, ଅନୁଗୁଳ ଓ ରାଉରକେଲା ରହିଛି। ଏହି ରିପୋର୍ଟ କହୁଛି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗାଇଡ୍ଲାଇନ୍ରେ ରହିଥିବା ମାନଦଣ୍ଡ ତୁଳନାରେ ଏହି ୩ ସହରର ବାୟୁର ମାନ ୧୦ଗୁଣ ଖରାପ ହୋଇଛି। ତାଳଚେର ସହରରେ ୨୦୨୫ ମସିହାର ଜାନୁଆରି, ଫେବ୍ରୁଆରି, ମାର୍ଚ୍ଚ, ନଭେମ୍ବର ଓ ଡିସେମ୍ବରରେ ବାୟୁର ମାନ ଅତି ଖରାପ ସ୍ତରକୁ ଯାଇଥିଲା। କେବଳ ଜୁଲାଇ ଓ ସେପ୍ଟେମ୍ବରରେ ଲୋକେ ସ୍ବଚ୍ଛ ପବନ ଟିକିଏ ପାଇଥିଲେ। ସେହିପରି ଅନୁଗୁଳ ସହରରେ ମଧ୍ୟ ଜାନୁଆରି, ଫେବ୍ରୁଆରି, ମାର୍ଚ୍ଚ, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ବାୟୁ ପ୍ରଦୂଷଣ ଶୀର୍ଷ ଛୁଇଁଥିଲା।
ଏଠାରେ କେବଳ ଜୁଲାଇ ଓ ଅଗଷ୍ଟରେ ବାୟୁର ମାନ ଭଲ ରହିଥିଲା। ସେହିପରି ରାଉରକେଲା ସହରରେ ଲୋକମାନେ ୬ମାସ ଗୁରୁତର ବାୟୁ ପ୍ରଦୂଷଣର ସାମନା କରିଥିଲେ। ରାଜ୍ୟର ପ୍ରଦୂଷିତ ସହର ତାଲିକାର ଚତୁର୍ଥରେ ବାଲେଶ୍ବର ରହିଥିଲା ବେଳେ ଏହା ପଛକୁ ପଛ ବଡ଼ବିଲ, କଟକ, ବ୍ୟାସନଗର, ଶୁଆକାଟି ଓ ବିଲେଇପଦା ରହିଛି। ୧୦ ନମ୍ବର ସ୍ଥାନରେ ଅଛି ଭୁବନେଶ୍ବର। ଏହା ପଛକୁ ବାରିପଦା, ରାଇରଙ୍ଗପୁର, ବ୍ରଜରାଜନଗର, ନୟାଗଡ଼ ଓ କେନ୍ଦୁଝର ରହିଛି। ଅପରପକ୍ଷରେ ୨୦୨୪ ମସିହାରେ ସର୍ବାଧିକ ପ୍ରଦୂଷିତ ସହର ତାଲିକାର ଶୀର୍ଷରେ ଅନୁଗୁଳ ରହିଥିଲା ବେଳେ ଦ୍ବିତୀୟରେ ତାଳଚେର ଓ ତୃତୀୟରେ ବାଲେଶ୍ବର ରହିଥିଲା। ପ୍ରଦୂଷିତ ସହର ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ପାଇଁ ଅନୁଗୁଳ ଓ ତାଳଚେର ଭିତରେ ଏମିତି ଆଘୋଷିତ ପ୍ରତିଯୋଗିତା ହେଉଥିଲା ବେଳେ ଆଗକୁ ଅଧିକ ଖଣି ହେଉଥିବାରୁ ସ୍ଥିତି ବିଗିଡ଼ିବା ନିଶ୍ଚିତ ହୋଇଯାଇଛି।
