ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଆନୁକୂଲ୍ୟରେ ଗତ ତିନିତାରିଖ ଶୁକ୍ରବାର ଦିନ ଚୈତ୍ରମହୋତ୍ସବ 2026 ଓ ଘୋଡାନାଚ ମେଲଣ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ମହାସଂଘ ର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାତଃ ସମୟରେ ମାଆଙ୍କ ମାର୍ଜନା, ପୂଜାର୍ଚ୍ଚନା ପରେ, କନକପୁର ବସନ୍ତ ବଗିଚା ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଢୋଲ ମହୁରୀ ଓ ହରିବୋଲ ହୁଳହୁଳି ଧ୍ଵନି ମଧ୍ୟରେ, ମୁଖ୍ୟଅତିଥି ରାଜ୍ୟ ଶିଳ୍ପ ଓ ଦକ୍ଷତl ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ଶାରଳା ମନ୍ଦିର କୁ ପାଛୋଟି ନେଇଥିଲେ | ଏହି ଶୋଭାଯାତ୍ରା ରେ ପ୍ରାୟ ପଚାଶରୁ ଘୋଡାନାଚ ଦଳ, ରାଉତ ରାଉତାଣି ଓ ସହଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ | ଏହି ଉପଲକ୍ଷେ ଆୟୋଜିତ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ, କୈବର୍ତ୍ତଜାତି ର ଐତିହ୍ୟ, ଘୋଡାନାଚ ର ପରମ୍ପରା ଓ ମାବାସେଳୀ ଠାକୁରାଣୀ ଙ୍କ ପୌରାଣିକ, ଐତିହାସିକ ଓ ସାମାଜିକ ଇତିବୃତ୍ତି ବିଷୟରେ ତାତ୍ତ୍ୱିକ ଓ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିବା ସହିତ, ମହାସଂଘ ର ଦାବୀକୁ ଗ୍ରହଣକରି ଏଠାରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ନିମନ୍ତେ ରାଜ୍ୟସରକାର ଙ୍କ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି ଘୋଷଣା କରିଥିଲେ |
ପୂର୍ବତନ ଜିଲ୍ଲାସଭାପତି କୈଳାଶ ଚନ୍ଦ୍ର ବେହେରା ମଞ୍ଚପରିଚାଳନା କରିଥିବାବେଳେ, ସଙ୍ଗଠନ ସମ୍ପାଦକ ଅମର କୁମାର ଦାସ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସରସ ସୁନ୍ଦର ଓ ସଫଳ ହୋଇଥିଲା ବୋଲି ମତପ୍ରକାଶ ପାଇଥିଲା | ସ୍ୱତନ୍ତ୍ର ଓ ସମ୍ମାନିତ ଅତିଥି ଭାବରେ ନିଖିଳଉତ୍କଳ କୈବର୍ତ୍ତ ମହାସଂଘ ର କାର୍ଯ୍ୟକାରୀ ସଭାପତି ମନୋଜ ବେହେରା, ଉପସଭାପତି ପ୍ରସନ୍ନ ବେହେରା, ସାଧାରଣ ସମ୍ପାଦକ ସୁଧୀର ଖଣ୍ଡା ଯୁଗ୍ମ ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଶାରଳା ମଣ୍ଡଳ କୋଷାଧ୍ୟକ୍ଷ ପ୍ରଦୀପ୍ ବେହେରା ଙ୍କ ସମେତ ଉପଦେଷ୍ଟା ମିହିର ବେହେରା, ବିଷ୍ଣୁ ଚରଣ ବେହେରା ଓ ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ, ଓଡିଶା ଏବଂ ଓଡ଼ିଆ ଜାତିର ସ୍ୱାଭିମାନ କୁ ବଜାୟ ରଖିବା ପାଇଁ କୈବର୍ତ୍ତ ମାନଙ୍କର ଅବଦାନ ସମ୍ପର୍କରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ | ଏହି ଅବସରରେ ଜନାପାଳ , ତିର୍ତ୍ତୋଲ, ତାର୍ତ୍ତୋଲ, କୁଜଙ୍ଗ ବଳରାମପୁର, ବିଶୁଆଳି, ଛପଡା, ବିରିତୋଳ, ମୂଳିସିଂହ, ତେନ୍ତୁଳିପଦା, ବାଲିପାଟଣା, ଗଣ୍ଡିକି ପୁର, କୋଲଟା ଓ ଶଙ୍ଖେଶ୍ୱର ଆଦି ପ୍ରାୟ ପଚାଶରୁ ଉର୍ଧ୍ଵ ଗ୍ରାମରୁ ଘୋଡା ନାଚ ଦଳ ର ଦଳପତି ଓ ଘୋଡା ମାନଙ୍କୁ ମନ୍ତ୍ରୀ ଉତ୍ତରୀୟ ଓ ଶାଢ଼ୀ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଦୀପ୍ତିରଞ୍ଜନ ବେହେରା ପରିଚାଳନା କରିଥିଲେ l ତେବେ ଏହି ପାରମ୍ପରିକ ଚଇତିମହୋତ୍ସବ ଓ ଘୋଡା ମେଲଣ କାର୍ଯ୍ୟକ୍ରମ ଶାରଳା ପୀଠ କୁ ପ୍ରକମ୍ପିତ ଓ ଉତ୍ସବମୁଖରିତ କରିଥିଲା |
