ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ବାଜିମାତ୍: ସଫଳ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

ରାଜ୍ୟ
Spread the love

ଭୁବନେଶ୍ୱର :  ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ଗୌରବମୟ ସଫଳତା ପରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା କ୍ରୀଡ଼ାବିତମାନଙ୍କୁ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୌଜନ୍ୟମୂଳକ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି।

ମହିଳା ଓ ପୁରୁଷ ଦଳର କୃତିତ୍ୱ:
ଗତ ୨୩.୦୩.୨୦୨୬ ରୁ ୦୫.୦୪.୨୦୨୬ ପର୍ଯ୍ୟନ୍ତ ଆୟୋଜିତ ଏହି ଚମ୍ପିୟାନସିପ୍‌ରେ ଓଡ଼ିଶା ପୋଲିସ ମହିଳା ଦଳ ରନର୍ସଅପ୍ (ଉପବିଜେତା) ଆଖ୍ୟା ଅର୍ଜନ କରିଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଆସାମ ରାଇଫଲସ ବିଜୟୀ ହୋଇଥିବା ବେଳେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ସେହିପରି ପୁରୁଷ ଫୁଟବଲ ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ସମଗ୍ର ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

ବ୍ୟକ୍ତିଗତ ସଫଳତା ଓ ‘ଗୋଲଡେନ୍ ବୁଟ୍’:
ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ଦୁଇଜଣ ଶ୍ରେଷ୍ଠ ଖେଳାଳି ନିଜର ଅସାଧାରଣ ପ୍ରତିଭା ବଳରେ ‘ଗୋଲଡେନ୍ ବୁଟ୍’ ପୁରସ୍କାର ହାସଲ କରିଛନ୍ତି:

  • ପ୍ୟାରୀ ଖାଖା (WC/475, UPD ଭୁବନେଶ୍ୱର): ମହିଳା ବର୍ଗରେ ସର୍ବାଧିକ ୦୭ଟି ଗୋଲ୍ ଦେଇ ସେ ଶ୍ରେଷ୍ଠ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ଜିତିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ୟାରୀ ବର୍ତ୍ତମାନ ଭାରତୀୟ ଜାତୀୟ ଫୁଟବଲ ଶିବିରରେ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି।
  • বিজয় ବେହେରା (C/327, ୧ମ ଆଇ.ଆର. ବାଟାଲିୟନ, କୋରାପୁଟ): ପୁରୁଷ ବର୍ଗରେ ଦୁର୍ଦ୍ଦଶ ପ୍ରଦର୍ଶନ କରି ସମୁଦାୟ ୦୮ଟି ଗୋଲ୍ ସହ ଶ୍ରେଷ୍ଠ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ବିଜୟୀ ହୋଇଛନ୍ତି।

ଡିଜିପି ଶ୍ରୀ ଖୁରାନିଆ ସଫଳ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ କ୍ରୀଡ଼ା ଉତ୍କର୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହି ସଫଳତା ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଫୁଟବଲ ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ। ପୋଲିସ ବାହିନୀର ଏହି କୃତିତ୍ୱ ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୂନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ପୋଲିସର କ୍ରୀଡ଼ା ଅଧିକାରୀ ନୀଳମାଧବ ସ୍ୱାଇଁ ସମଗ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *