ଭୁବନେଶ୍ବର : କେନ୍ଦ୍ର ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଯାହା ସମଗ୍ର ଦେଶ ସମେତ ଓଡ଼ିଶାର ରାଜନୈତିକ ମାନଚିତ୍ରକୁ ବଦଳାଇ ଦେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ଆସନ ସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୧୬ ତାରିଖରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆହୂତ ହୋଇଛି, ଯେଉଁଥିରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଗତ କରାଯିବ। ଏହି ବିଲ୍ ଜରିଆରେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଆଇନଗତ ରୂପ ଦିଆଯିବ। ଏହା ସହିତ ୨୦୧୧ ଜନଗଣନାକୁ ଆଧାର କରି ନୂତନ ସଂରକ୍ଷଣ ନିୟମ ଲାଗୁ କରିବା ଏବଂ ଏକ ଉଚ୍ଚସ୍ତରୀୟ ଡିଲିମିଟେସନ୍ ବା ସୀମା ନିର୍ଦ୍ଧାରଣ କମିଶନ ଗଠନ କରିବା ପାଇଁ ମଧ୍ୟ ବିଲ୍ରେ ପ୍ରାବଧାନ ରହିଛି। ଓଡ଼ିଶା ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି, କାରଣ ଆସନ ସଂଖ୍ୟା ବୃଦ୍ଧି ପାଇଲେ ଓଡ଼ିଶା ପୂର୍ବାପେକ୍ଷା ଉଭୟ ସଂସଦ ଓ ବିଧାନସଭାରେ ଅଧିକ ପ୍ରତିନିଧିତ୍ୱ ପାଇବାର ସୁଯୋଗ ପାଇବ।
ଏହି ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ଓଡ଼ିଶାର ସମସ୍ତ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଏବେଠାରୁ ଉତ୍ସାହ ଓ ତତ୍ପରତା ଦେଖାଦେଇଛି। ବିଶେଷ କରି କେଉଁ କେଉଁ ପୁରୁଣା ଆସନଗୁଡ଼ିକୁ ଭାଙ୍ଗି ନୂତନ ନିର୍ବାଚନ ମଣ୍ଡଳୀ ସୃଷ୍ଟି କରାଯିବ, ତାହାକୁ ନେଇ ସବୁଠି ଅଙ୍କକଷା ଆରମ୍ଭ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜନସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ କଟକ ଲୋକସଭା ଆସନର ପୁନର୍ବିନ୍ୟାସ କରାଯାଇ ନୂଆ ଆସନ ସୃଷ୍ଟି କରାଯାଇପାରେ। ସେହିପରି ରାଜ୍ୟର ଅପେକ୍ଷାକୃତ ଅନଗ୍ରସର କୁହାଯାଉଥିବା କେବିକେ ଅଞ୍ଚଳ ଅର୍ଥାତ୍ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଅଧିକ ଲୋକସଭା ଓ ବିଧାନସଭା ଆସନ ସୃଷ୍ଟି ହେବାର ପ୍ରବଳ ସମ୍ଭାବନା ରହିଛି।
ଏହା କେବଳ ମହିଳାମାନଙ୍କୁ କ୍ଷମତାୟନ କରିବ ନାହିଁ, ବରଂ ଦୁର୍ଗମ ଅଞ୍ଚଳର ସମସ୍ୟାଗୁଡ଼ିକୁ ସଂସଦରେ ପହଞ୍ଚାଇବା ପାଇଁ ଏକ ଶକ୍ତ ମାଧ୍ୟମ ସାଜିବ। ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ଥିବାରୁ ଆଗାମୀ ଦିନରେ ନୂଆ ନୂଆ ଚେହେରା ରାଜନୀତିକୁ ଆସିବା ସହ ନିର୍ବାଚନୀ ରଣନୀତିରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ। ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଦେଶର ପ୍ରଶାସନିକ ଓ ରାଜନୈତିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
