ଭୁବନେଶ୍ୱର: ଦେଶ-ବିଦେଶରେ ଇସ୍କନ ପକ୍ଷରୁ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଉଛି। ଅଦିନିଆ ରଥଯାତ୍ରା କରି ଇସ୍କନ ଜଗନ୍ନାଥ ସଂସ୍କୃତି ଉପରେ ଆକ୍ରମଣ କରୁଛି। ଏହା ଜଗନ୍ନାଥ ପ୍ରେମୀ କୋଟି କୋଟି ଭକ୍ତଙ୍କୁ ମାନସିକ ଆଘାତ ଦେବା ସହିତ ତାଙ୍କର ଭାବାବେଗକୁ ମଧ୍ୟ ଆଘାତ ଦେଉଛି। ଏହା ଉପରେ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ୨୦୨୪ ମସିହା ନଭେମ୍ବର ୧୬ ତାରିଖରେ ବିକ୍ଷୋଭ କରାଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପ୍ରଦାନ କରାଯାଇଥିଲା।
ଗତ କିଛି ଦିନ ତଳେ ଇସ୍କନର ଅଦିନିଆ ରଥଯାତ୍ରା ଉପରେ ନିଜେ ଗଜପତି ଦିବ୍ୟସିଂହ ଦେବ କ୍ଷୋଭ ପ୍ରକାଶ କରି ଆଇନିଗତ ପଦକ୍ଷେପ ନେବେ ବୋଲି ଇସ୍କନକୁ ଚେତେଇ ଦେଇଥିଲେ। ତା ସତ୍ୱେ ଆଜି ଇସ୍କନ ପୁଣି ଥରେ ଅଷ୍ଟ୍ରେଲିଆ ଓ ଆମେରିକାରେ ଅଦିନିଆ ରଥଯାତ୍ରା ଆରମ୍ଭ କରିଛି। ଇସ୍କନର ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଓଡିଶା ସରକାର ପଦକ୍ଷେପ ନେବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହା ବ୍ୟତୀତ ଜଗନ୍ନାଥ ସଂସ୍କୃତି ଉପରେ ହେଉଥିବା ଏହି ଅପମାନ ଓ ଆକ୍ରମଣର ପ୍ରତିବାଦରେ ଓଡିଶାବାସୀ ଓ କୋଟି କୋଟି ଜଗନ୍ନାଥପ୍ରେମୀ ଏକ ଦିନିକିଆ ଗଣ ଉପବାସ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ନିବେଦନ କରିଛି। ନିଜେ ଗଜପତି ଓ ମୁଖ୍ୟମନ୍ତ୍ରୀ ଏହି ଗଣ ଉପବାସର ନେତୃତ୍ୱ ନେବାକୁ ଓଡ଼ିଆ ଅସ୍ମିତା ପରିଷଦ ସେମାନଙ୍କୁ ଅନୁରୋଧ କରୁଛି ବୋଲି ଶ୍ରୀ ବେହେରା ଏହି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୫ ମସିହାରେ ମୁକ୍ତି ଲାଭ କରିଥିବା ‘ଦି ମିଥ’ ଚଳଚିତ୍ରରେ ତାରକା ଜାକି ଚାନ ଜଗନ୍ନାଥଙ୍କ ଫୋଟୋକୁ ଗୋଇଠା ମାରୁଥିବା ସମ୍ବାଦ ଜଗନ୍ନାଥ ପ୍ରେମୀଙ୍କୁ ବହୁତ ଆଘାତ ଦେଇଥିଲା. ତେଣୁ ବାରମ୍ବାର ଜଗନ୍ନାଥ ସଂସ୍କୃତି ଉପରେ ହେଉଥିବା ଆକ୍ରମଣ ସବୁଦିନ ପାଇଁ ବନ୍ଦ କରିବାକୁ ଓଡିଶାବାସୀ ଆଗେଇ ଆସନ୍ତୁ ବୋଲି ଓଡ଼ିଆ ଅସ୍ମିତା ପରିଷଦ ନିବେଦନ କରିଛି।
