କେନ୍ଦୁଝର (ପ୍ରଦୀପ ଦାସ) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାଳ ପଞ୍ଚାୟତର ଅପହଞ୍ଚ ତଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ନୁଲୁ ଗ୍ରାମଠାରେ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣୀ ଫାଉଣ୍ଡେସନର ବରିଷ୍ଠ ସମାଜସେବୀ ଓମ୍ ଭାଇ, ଅଭିମନ୍ୟୁ ସାହୁ ଓ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ସଦସ୍ୟ ଭକ୍ତ ବତ୍ସଳ ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ମାନବିକ ସେବା ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି।


ସବୁଜ ସ୍ୱାଗତ ଓ ଆତ୍ମୀୟତା:
ଗଣତନ୍ତ୍ରର ଏହି ପବିତ୍ର ପର୍ବକୁ ପାଳନ କରିବା ପାଇଁ ସ୍ୱେଚ୍ଛାସେବୀ ଦଳ ଯେତେବେଳେ ନୁଲୁ ଗ୍ରାମର ପାହାଡ଼ ଉପରେ ପହଞ୍ଚିଥିଲେ, ଗ୍ରାମର ସରଳ ନିରୀହ ଜୁଆଙ୍ଗ ଆଦିବାସୀ ଭାଇଭଉଣୀଙ୍କ ଆତ୍ମୀୟତା ସମସ୍ତଙ୍କୁ ଅଭିଭୂତ କରିଥିଲା। ମା’ମାନେ ହଳଦୀ ପାଣିରେ ପାଦ ଧୋଇ, ହୁଳହୁଳି ପକାଇ ଶାଲ ପତ୍ରରେ ତିଆରି ମୁକୁଟ, ମାଳ ଓ ଉତ୍ତରୀୟ ପିନ୍ଧାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ପାହାଡ଼ ଉପରେ ଶାଲ ପତ୍ରରେ ତିଆରି ଏକ ନିଆରା ମଞ୍ଚରେ ଏହି ଉତ୍ସବ ପାଳିତ ହୋଇଥିଲା।

ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା:
ଶିଶୁ ଶଲ୍ୟ ବିଶେଷଜ୍ଞ ସହଯୋଗୀ ପ୍ରଫେସର ଡାକ୍ତର ବନୋଜ ଭାଇଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଉପେନ୍ଦ୍ର କୁମାର, ଭିଜନ ଟେକନିସିଆନ ଲିଳିମା ଜେନା ଓ ସ୍ୱାସ୍ଥ୍ୟ ସେବିକା ପୂଜାରିଣୀ ମହାନ୍ତଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା ସହ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା। ଏହି ଶିବିରରେ ଚିହ୍ନଟ ହୋଇଥିବା ୧୫ଜଣ ରୋଗୀଙ୍କ ପାଇଁ ମାଗଣା ଅସ୍ତ୍ରୋପଚାରର ବ୍ୟବସ୍ଥା ମଧ୍ୟ କରାଯାଇଛି। କାଳିକାର ସକ୍ଷୟତ୍ରୀ ପଦ୍ମିନୀ ଜୁଆଙ୍ଗ ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

ସାହାଯ୍ୟ ବିତରଣ ଓ ସାମୂହିକ ଭୋଜନ:
କାର୍ଯ୍ୟକ୍ରମ ଅବସରରେ ପ୍ରତି ପରିବାରକୁ କମ୍ବଳ ପ୍ରଦାନ କରାଯିବା ସହ ଶିଶୁମାନଙ୍କୁ ବିସ୍କୁଟ ପ୍ୟାକେଟ ବଣ୍ଟନ କରାଯାଇଥିଲା। ଶିକ୍ଷାବିତ୍ ଅକ୍ଷୟ ବେହେରା, ସ୍ମିତାରାଣୀ ରାୟ, ନର୍ମଦା ମହାନ୍ତି ଓ ସୁଶୀଳା ସାହୁଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀ ମିଶି ରୋଷେଇ କରି ଏକାଠି ଭୋଜନ କରିଥିଲେ, ଯାହା ଏକ ଅନ୍ତରଙ୍ଗ ବାତାବରଣ ସୃଷ୍ଟି କରିଥିଲା।

ଅତିଥି ଓ ସ୍ୱେଚ୍ଛାସେବୀଙ୍କ ଅବଦାନ:
ଏହି କାର୍ଯ୍ୟକ୍ରମରେ ପଞ୍ଚୁପାଣ୍ଡବ ଦାସ (ପ୍ରଭୁଜୀ), ମାନବାଧିକାର କର୍ମୀ ଓ ‘ଭଏସ ଅଫ କମନ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସତ୍ୟ ଦାସ, ନଗରଖବରର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ, ଆଦିବାସୀ ଗବେଷକ ଡାକ୍ତର ବିମ୍ବାଧର ବେହେରା, ବରିଷ୍ଠ ଆଇନଜୀବୀ ରାଜକିଶୋର ଭୂୟାଁ, କର୍ଣ୍ଣାଟ କେଶରୀ ଜେନା, ଆଇନଜୀବୀ ଜଗତଜ୍ଜିତା ଦାସ, ସଞ୍ଜୀବ ପାଇକରାୟ, କୀର୍ତ୍ତିଲତା ଭୂୟାଁ ଓ ଭାରତ ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱେଚ୍ଛାସେବୀ ଚନ୍ଦନ ପଣ୍ଡା, ଆଶିଷ ସାହୁ, ଶକ୍ତି ପ୍ରକାଶ ନାରାୟଣ ରାଉତ, ସଞ୍ଜିତ ବାରିକ, କୈଳାସ ସ୍ୱାଇଁ, ସୁଦାମ ମହାରଣା, ଶିବରାଜ ସାହୁ, ପ୍ରକାଶ ସାହୁ, ସନ୍ଦୀପ ନନ୍ଦ ଓ ସର୍ବକନିଷ୍ଠ ୧୬ ବର୍ଷୀୟ ସ୍ୱେଚ୍ଛାସେବୀ ପ୍ରଭୁଦତ୍ତ ମହାନ୍ତି (ଶୁଭମ)ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ହୋଇଥିଲା।
ବଦାନ୍ୟ ବ୍ୟକ୍ତିବିଶେଷଙ୍କ ସହଯୋଗ : ସ୍ୱାଧୀନତାର ସାତ ଦଶକ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳର ଲୋକଙ୍କ ପାଇଁ ସହଯୋଗର ହାତ ବଢ଼ାଇଥିଲେ ରେଭେନ୍ସାର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦାମୋଦର ବିଶ୍ୱାଳ, ବରୁଣ ଗୁପ୍ତା, ସୁନିଲ ରାଏ, ଚନ୍ଦ୍ରିକା ମହାନ୍ତି, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ରଣା ଏବଂ ସି.ଏ ତରୁଣ ଅଗ୍ରୱାଲ। ସେମାନଙ୍କର ଏହି ନିସ୍ୱାର୍ଥପର ସାହାଯ୍ୟ ପାଇଁ ସେବା ଦଳ ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି।
ବ୍ୟବସ୍ଥାଠାରୁ ଦୂରରେ ଥାଇ ଜଙ୍ଗଲ ଓ ପାହାଡ଼କୁ ଭରସା କରି ବଞ୍ଚୁଥିବା ଏହି ଅପହଞ୍ଚ ଅଞ୍ଚଳର ମଣିଷଙ୍କ ଗହଣରେ ଏକ ସେବାଭିତ୍ତିକ ଦିନ କାଟି ସେବା ଦଳ ନିଜକୁ ଧନ୍ୟ ମନେ କରିଛନ୍ତି।
