ସାହିତ୍ୟସଭାରେ ଅତିଥି ହେଉଥିଲା, ଜମି ଦେଖାଇ ୮କୋଟି ଟଙ୍କା ଚୂନ ଲଗାଇଥିଲା

ରାଜ୍ୟ
Spread the love

କଟକ: ବିଭିନ୍ନ ସାହିତ୍ୟ ସଭାରେ ଅତିଥି ହେଉଥିଲା। ସାହିତ୍ୟ, ଶିକ୍ଷା ସମ୍ପର୍କରେ ସୁନ୍ଦର ଭାଷଣ ଦେଉଥିଲା। ନିଜର ପରିଚୟ ବିଇଓ ବୋଲି ଦେଉଥିଲା। ଜମି, ଚାକିରି ଦେବି ବୋଲି କହି ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୮ କୋଟି ଟଙ୍କା ଚୂନ ଲଗାଇଥିଲ। କେବଳ ଏହାନୁହେଁ ଅତି ଚତୁରତାର ସହକାରେ ପୁଲିସ ଆଖିରେ ଧୂଳି ଦେଇ ଖସିବୁଲୁଥିଲା। ଏଭଳି ଜଣେ ଠକକୁ ଆଜି ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଗିରଫ କରିଛି। ଗିରଫ ପରେ ସେ କରିଥିବା ଠକାମୀର ଅନେକ ଚମତ୍କାର ଉପାୟ ସବୁ ପଦାରେ ପଡ଼ିଛି।
କଟକ ମଙ୍ଗଳାବାଗ୍‌ ଥାନା ପୁଲିସ ଭଦ୍ରକଜିଲ୍ଲା ଧୂଷୁରି ଥାନା ପଣ୍ଡାପାଟଣାର ଶଶଧର ପଣ୍ଡାଙ୍କୁ ଗିରଫ କରିଛି। ସରକାରୀ ଚାକିରି ଦେବା, ଧାର୍ ନେବା, ଜମି ଦେବାର ଲୋଭ ଦେଖାଇ ମୋଟ ୭ କୋଟି ୧୬ ଲକ୍ଷ ୩୭ ହଜାର ୫୦୦ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି। ଗିରଫ ପରେ ପୁଲିସ ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି।
ସୂଚନାନୁସାରେ, କଟକ ଫ୍ରେଣ୍ଡସ୍ କଲୋନିର ଜଣେ ବ୍ୟକ୍ତି ମଙ୍ଗଳାବାଗ ଥାନାରେ ମେ ୨୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ୨୦୨୫ ଜାନୁଆରି ୨୮ରେ ଫୁଲନଖରାସ୍ଥିତ ଏକ ପଞ୍ଜୀକୃତ ସ୍ଵେଚ୍ଛାସେବୀ ସଂଗଠନ କ୍ରାନ୍ତିବାହିନୀର ନିମନ୍ତ୍ରଣ କ୍ରମେ ସେ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ସେଠାରେ ସେ ଅଭିଯୁକ୍ତ ଶଶଧର ସମ୍ପର୍କରେ ଆସିଥିଲେ। ପରେ ଅଭିଯୁକ୍ତ ଜଣକ ତାଙ୍କ ସହ ସମ୍ପର୍କକୁ ବଢ଼ାଇଥିଲେ। ନିଜ ପରିବାର ସଦସ୍ୟଙ୍କ ସହ ଫ୍ରେଣ୍ଡସ୍ କଲୋନି ସ୍ଥିତ ତାଙ୍କ ଘରକୁ ବାରମ୍ବାର ଆସିଥିଲେ। ଅଭିଯୁକ୍ତ ନିଜକୁ ଜଣେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପରିଚୟ ଦେଇଥିଲା। ଭୁବନେଶ୍ବରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଇନଫରମେସନ ଟେକ୍ନୋଲୋଜି ପଢ଼ୁଥିବା ନିଜ ପୁଅ ପାଇଁ ୨୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇ ଧାର ସୂତ୍ରରେ ଟଙ୍କା ଦେବାକୁ ଅନୁରୋଧ କରିଥିଲା। କିନ୍ତୁ ପ୍ରଥମେ ଧାର ସୂତ୍ରରେ ଟଙ୍କା ଦେବାକୁ ଅଭିଯୋଗକାରୀ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ଶଶଧର ତାଙ୍କୁ ଏକ ଜମି କରାଇଦେବାର ଲୋଭ ଦେଖାଇଥିଲା। ଧାର ଟଙ୍କା ବଦଳରେ ସେ ନିଜ ପତ୍ନୀଙ୍କ ନାଁରେ ଥିବା କଟକ ସିଡିଏ ସେକ୍ଟର-୧୩ରେ ଥିବା ଏକ ଜମିକୁ ତାଙ୍କ ନାଁରେ ପଞ୍ଜୀକରଣ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଉକ୍ତ ଜମିର ମୋଟ ମୂଲ୍ୟ ୨୦ ଲକ୍ଷ ହୋଇଥିବାରୁ ଟଙ୍କା ବଦଳରେ ଜମି ଦେବାର ପ୍ରତିଶ୍ରୁତି ମିଳିଥିଲା। ଏଥିରେ ବିଶ୍ବାସ କରି ଅଭିଯୋଗକାରୀ ତାଙ୍କୁ ନଗଦ ୨୦ ଲକ୍ଷ ଟଙ୍କା ମୋବାଇଲ୍ ବ୍ୟାଙ୍କିଂ ମାଧ୍ୟମରେ ପ୍ରଦାନ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ଉକ୍ତ ଜମିର ବିକ୍ରି ଦଲିଲ୍ କଲା ନାହିଁ କି ଧାର ସୂତ୍ରରେ ନେଇଥିବା ଟଙ୍କା ଫେରସ୍ତ କଲା ନାହିଁ। ଯେତେବେଳେ ଅଭିଯୋଗକାରୀ ଟଙ୍କା ଫେରସ୍ତ କରିବାକୁ କହିଲେ, ସେତେବେଳେ ଶଶଧର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଚମକ ଦେଇଥିଲା। ଶଶଧର ଶେଷରେ ନିଜ ମୋବାଇଲ୍ ଫୋନ୍ ବନ୍ଦ କରି ସ୍ଥାନୀୟ ଅଞ୍ଚଳରୁ ଫେରାର୍ ହୋଇଯାଇଥିଲା।
ଏହି ଘଟଣାର ତଦନ୍ତ କରିବା ପରେ ମଙ୍ଗଳାବାଗ ଥାନା ପୁଲିସ କୁଖ୍ୟାତ ଠକ ଶଶଧରର କାରନାମା ଜାଣିବାକୁ ପାଇଥିଲା। ଶଶଧର ସିଡିଏ ସେକ୍ଟର ୧୩ରେ ରହୁଥିଲା। କିନ୍ତୁ ସେ ଫେରାର ହୋଇ ବାଲେଶ୍ବର ଜିଲ୍ଲା ଖଇରାରେ ଘର ଭଡ଼ା ନେଇ ରହୁଥିବା ପୁଲିସ ଜାଣିବା ପରେ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଛି। ମଙ୍ଗଳାବାଗ ଥାନା ଆଇଆଇସି ଉମାକାନ୍ତ ସାହୁଙ୍କ ନେତୃତ୍ବରେ ଏସଆଇ ଦେବବ୍ରତ ମହାନ୍ତି, କନଷ୍ଟେବଳ ନରେଶ୍ବର ରାଓ, ହୋମଗାର୍ଡ ରାଜେଶ ନାଥ ପ୍ରମୁଖ ବାଲେଶ୍ବରରେ ଚଢ଼ଉ କରି ତାକୁ ଗିରଫ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *