୪୮ ବର୍ଷ ପରେ ଏକାଠି ହେଲେ ପୁରୁଣା ସାଙ୍ଗ: ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ସାରଦା ଏକାଡେମୀ ୧୯୭୭ ବ୍ୟାଚର ସ୍ମୃତିମନ୍ଥନ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା କୋଷ୍ଟି ମଲ୍ଲିକାପୁର ପଞ୍ଚାୟତ ଅଧିନସ୍ଥ ତୁରୁଖା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ କନକପୁର ସାରଦା ଏକାଡେମୀର ୧୯୭୭ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଭାବପୂର୍ଣ୍ଣ ସହପାଠୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୮ ବର୍ଷ ପରେ ପରସ୍ପରକୁ ଭେଟିବାର ଅପୂର୍ବ ସୁଯୋଗ ପାଇ ସମସ୍ତ ସହପାଠୀ ଭାବବିହ୍ୱଳ ହୋଇପଡ଼ିଥିଲେ।

ଗତ ବୁଧବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଦିଗମ୍ବର ରାଉତ ଅଧ୍ୟକ୍ଷତା କରିଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ସହପାଠୀ ରାମଚନ୍ଦ୍ର ସାହୁ ଓ କାଲା ମିଆଁଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ପୁରାତନ ବିଦ୍ୟାର୍ଥୀମାନେ ନିଜ ନିଜର ପିଲାଦିନର ସେହି ଅଭୁଲା ଅନୁଭୂତି ଓ ସ୍ମୃତିକୁ ମନେପକାଇ ସ୍ମୃତିମନ୍ଥନ କରିଥିଲେ।

ଏହି ସମାବେଶରେ ଧୀରେନ୍ଦ୍ର କୁମାର ସାହୁ, ଶରତ ଚନ୍ଦ୍ର ସାହୁ, ଅକ୍ଷୟ ସ୍ୱାଇଁ, ନିଶ୍ଚିନ୍ତ ପଣ୍ଡା, ସୁବାସ ବିଶ୍ୱାଳ, ହରେକୃଷ୍ଣ ବୈଶାଖ, ବୀରବର ଜେନା, କ୍ଷୀରୋଦ ମହାନ୍ତି, ରମାକାନ୍ତ ରାଉତ, ସଞ୍ଜିତ ମହାନ୍ତି, ଲକ୍ଷ୍ମୀଧର ମନ୍ତ୍ରୀ, ରବୀନ୍ଦ୍ର ଆଚାର୍ଯ୍ୟ, କୁମରବର ଘଡେଇ, ସୁଦାମ ମହାନ୍ତି ଓ ବୈଷ୍ଣବ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହ ବନ୍ଧୁତ୍ୱର ଏହି ଡୋରିକୁ ଆଗକୁ ବଜାୟ ରଖିବା ପାଇଁ ମତବ୍ୟକ୍ତ କରିଥିଲେ। ପରିଶେଷରେ ଭଗବାନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଦ୍ଧକ୍ୟର ଦ୍ୱାରଦେଶରେ ପହଞ୍ଚିଥିଲେ ମଧ୍ୟ ସମସ୍ତେ ସେହି ପୁରୁଣା ସ୍କୁଲ ଦିନର ଉତ୍ସାହ ନେଇ ଫେରିଥିଲେ।

Leave a Reply

Your email address will not be published. Required fields are marked *