ପୁରୀ : କରି କରାଉଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ସେ ତ ବିଶ୍ବନିଅନ୍ତା, ନିଜକୁ ଗଢ଼ିଲାବାଲା। ଆମେ କଣ ତାଙ୍କ ରଥ ଗଢ଼ିବୁ। ଆମେ କେବଳ ମାଧ୍ୟମ ମାତ୍ର। ମୁଣ୍ଡ ଗଣତି ହେଉ ସତ, କିନ୍ତୁ ଆମ ହାତ ଧରି କାମ କରେଇ ନିଅନ୍ତି ମହାପ୍ରଭୁ। ଏ ଅଭିବ୍ୟକ୍ତି, ରଥ ଗଢ଼ିବାକୁ ନିୟୋଜିତ ହୋଇଥିବା ପ୍ରତିଟି କାରିଗରଙ୍କର। ମଜୁରି ନୁହେଁ, ବରଂ ମହାପ୍ରଭୁଙ୍କ କାମ କରିବାକୁ ସୌଭାଗ୍ୟ ମଣନ୍ତି କାରିଗର।
ଆଜି ଥିଲା ରଥ ନିର୍ମାଣର ପ୍ରଥମ କାର୍ଯ୍ୟ ଦିବସ। ପ୍ରଥମ ଦିନରେ ରଥ ଗଢ଼ିବାକୁ ନିୟୋଜିତ ହୋଇଛନ୍ତି ୧୦ ଜଣ ମହାରଣା, ୬ ଜଣ ଭୋଇ ସେବକ, ୩ ଜଣ କମାର, ୪ ଜଣ କରତିଆ ସେବକ ଓ ଜଣେ ରଥ ଖଳା ସହାୟକ। ଫାସି କାଠରେ ତୁମ୍ବ ଚିରା ହେବା ସହ ରଥ ନିର୍ମାଣର ପ୍ରକୃତ ଭିତ୍ତି ପଡ଼ିଛି। କମାର ସେବକମାନେ ଦୋଳବେଦି ଅସ୍ଥାୟୀ କମାର ଶାଳରେ ତିନି ରଥର କଣ୍ଟା ପ୍ରସ୍ତୁତି ନିମନ୍ତେ ଶାଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରଥମେ ତିଆରି ହୁଏ ତୁମ୍ବ। ପ୍ରତ୍ୟେକ ରଥ ଚକର ମଝି ଅଂଶ ହେଉଛି ତୁମ୍ବ। ତିନି ରଥର ପ୍ରଥମ ତିନି ତୁମ୍ବ ପାଇଁ ଚିରଟ ହେଉଥିବା ତୁମ୍ବ କାଠ ମଧ୍ୟରୁ ପ୍ରଥମେ ତାଳଧ୍ବଜ ରଥର ତୁମ୍ବ କାଠ ଚିରଟ ହୁଏ। ଏହାପରେ ନନ୍ଦିଘୋଷ ଓ ଦେବୀଦଳନ ରଥର ତୁମ୍ବ କାଠ ଚିରଟ କରାଯାଏ।
