ଝଙ୍କଡ଼ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଲର ଗ୍ରାମରେ ଆଜି ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ‘ତିର୍ତ୍ତୋଲ ସ୍ୱାଭିମାନ ମଞ୍ଚ’ ଆନୁକୁଲ୍ୟରେ ଆୟୋଜିତ ଏହି ସମାବେଶରେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ତଥା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକ ରମାକାନ୍ତ ଭୋଇଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀମାନେ ଗର୍ଜିଛନ୍ତି।
ଏହି ସମାବେଶରେ ବିଶେଷ ଆକର୍ଷଣ ସାଜିଥିଲେ ବିଜେଡିର ହେଭିୱେଟ ନେତା ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ଶ୍ରୀଯୁକ୍ତ ଚିରଞ୍ଜିବୀ ବିଶ୍ୱାଳ, ଡଃ. ରାଜଶ୍ରୀ ମଲ୍ଲିକ ଏବଂ ଶ୍ରୀଯୁକ୍ତ ପ୍ରତାପ ଜେନା। ଦୀର୍ଘ ଦିନର ବ୍ୟବଧାନ ପରେ ଏହି ବରିଷ୍ଠ ନେତାମାନଙ୍କୁ ଏକାଠି ଦେଖି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିଳମ୍ବରେ ହେଲେ ମଧ୍ୟ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସମାବେଶରେ ଉପସ୍ଥିତ ନେତୃବୃନ୍ଦ ତିର୍ତ୍ତୋଲର ସ୍ୱାଭିମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶପଥ ନେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ କରିଥିବା ବିଧାୟକ ରମାକାନ୍ତ ଭୋଇଙ୍କୁ ତିର୍ତ୍ତୋଲର କୌଣସି ପଞ୍ଚାୟତରେ ପ୍ରବେଶ କରାଇ ନଦେବାକୁ ଏକ ହଜାରରୁ ଅଧିକ ସମର୍ଥକ ଏକ ସ୍ୱରରେ ସମର୍ଥନ ଜଣାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଜିଲ୍ଲା ଉପସଭାପତି ଅଶ୍ୱିନୀ କୁମାର ଦାସ, ଜିଲ୍ଲାପରିଷଦ ସଭ୍ୟା ରଞ୍ଜିତା ସିଂହ, ସୁନୀଲ କୁମାର ବେହେରା ଓ ମହିଳା ସଭାପତି ଲୋରା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ରାଜ୍ୟ ବିଜେଡି ମୁଖପାତ୍ର ନାରାୟଣ ପ୍ରସାଦ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶ ତିର୍ତ୍ତୋଲ ରାଜନୀତିରେ ଏକ ନୂଆ ମୋଡ଼ ଆଣିଥିବା ଚର୍ଚ୍ଚା ହେଉଛି।
