• ଅତିରିକ୍ତ ଭାବେ ତୁଲାଇବେ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ଦାୟିତ୍ୱ
କଟକ: କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ (DIPRO) ଭାବେ ଶ୍ରୀମତୀ ସ୍ୱାଗତିକା ବେହେରା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହିତ ତାଙ୍କ ଉପରେ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅତିରିକ୍ତ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।
ଶ୍ରୀମତୀ ବେହେରା ହେଉଛନ୍ତି ୨୦୨୩ ବ୍ୟାଚ୍ର ଜଣେ ଦକ୍ଷ ଓଡ଼ିଶା ସୂଚନା ସେବା (OIS) ଅଧିକାରୀ। ସେ ନିଜର ବୃତ୍ତିଗତ ଜୀବନ ପ୍ରଥମେ ଜଣେ ସହକାରୀ ସୂଚନା ଅଧିକାରୀ ଭାବରେ ଆରମ୍ଭ କରିଥିଲେ। ଚାକିରି ଜୀବନର ପ୍ରାରମ୍ଭରୁ ହିଁ ସେ ନିଜର ନିଷ୍ଠାପର ଉଦ୍ୟମ ଓ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଆସିଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ନିଜକୁ ସକ୍ରିୟ ଭାବେ ନିୟୋଜିତ କରି ସେ ଜନସାଧାରଣ ତଥା ଉଚ୍ଚପଦସ୍ଥ ଅଧିକାରୀଙ୍କ ମହଲରେ ବେଶ୍ ପ୍ରିୟଭାଜନ ହୋଇପାରିଛନ୍ତି। ତାଙ୍କର ଏହି ଦକ୍ଷତା, କର୍ମତତ୍ପରତା ଓ ସମର୍ପଣ ଭାବକୁ ଭିତ୍ତି କରି ତାଙ୍କୁ କଟକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି।
କଟକ ଜିଲ୍ଲାର ସୂଚନା ଓ ଲୋକସଂପର୍କ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟଭାର ତୁଲାଇବା ସହିତ ଶ୍ରୀମତୀ ବେହେରାଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ପଦବୀର ସମ୍ଭାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ସେ କଟକ ଜିଲ୍ଲା ଦାୟିତ୍ୱ ସହ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସୁଚାରୁରୂପେ ନିର୍ବାହ କରିବେ ବୋଲି ବିଭାଗୀୟ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା, ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ଏବଂ ଗଣମାଧ୍ୟମ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଉତ୍ତମ ସମନ୍ୱୟ ରକ୍ଷା କରିବା ଦିଗରେ ସେ ପ୍ରାଥମିକତା ଦେବେ ବୋଲି ଆଶା କରାଯାଉଛି। ଶ୍ରୀମତୀ ବେହେରା ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ସ୍ଥାନୀୟ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି।
