ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକ ସମାରୋହ ଅକ୍ଟୋବର ୧୧ରେ: ଡ. ତୋଫାନ ଜେନା ପାଇବେ ‘ପଲ୍ଲୀ ପ୍ରତିଭା ସମ୍ମାନ-୨୦୨୬’

ରାଜ୍ୟ
Spread the love

କଟକ :  ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ’ର ବାର୍ଷିକ ସାରସ୍ୱତ ସମାରୋହ ଆସନ୍ତା ଅକ୍ଟୋବର ୧୧ ତାରିଖ ପୂର୍ବାହ୍ନରେ ଐତିହାସିକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହେବ। ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ପାଇଁ ଅନୁଷ୍ଠାନର ଗତିରାଉତପାଟଣା, ଡିହସାହିସ୍ଥିତ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ସଭାପତି ଚୈତନ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ଚଳିତ ବର୍ଷର ସମ୍ମାନଜନକ ‘ପଲ୍ଲୀ ପ୍ରତିଭା ସମ୍ମାନ–୨୦୨୬’ ବିଶିଷ୍ଟ ସାହିତ୍ୟିକ ଡ. ତୋଫାନ ଜେନାଙ୍କୁ ପ୍ରଦାନ କରାଯିବା ନେଇ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ ସାରସ୍ୱତ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଂ. ଭରତ ଚରଣ ବେହେରା, ଡ. ବିଷ୍ଣୁପ୍ରିୟା ଦାସ, ସୁଷମା ପରିଜା, ଡାକ୍ତର କମଳାକାନ୍ତ ନାୟକ ଏବଂ ତନ୍ମୟ କିଶୋର ଦାସଙ୍କୁ ‘ପଲ୍ଲୀ ପ୍ରତିଭା ସାରସ୍ୱତ ସମ୍ମାନ’ରେ ସମ୍ମାନିତ କରାଯିବ। ସେହିପରି ବାବାଜୀ ଚରଣ ଜେନା ଓ ସ୍ନେହଲତା ଦ୍ୱିବେଦୀଙ୍କୁ ‘ପଲ୍ଲୀ ପ୍ରତିଭା ଗୀତିକବି ସମ୍ମାନ’, କୈଳାସ ଚନ୍ଦ୍ର ଜେନାଙ୍କୁ ‘ପଲ୍ଲୀ ପ୍ରତିଭା ସାମ୍ବାଦିକ ସମ୍ମାନ’ ଏବଂ ଆଶୀର୍ବାଦ ଦାସଙ୍କୁ ‘ପଲ୍ଲୀ ପ୍ରତିଭା ଯୁବ ସଂଗଠକ ସମ୍ମାନ’ ପ୍ରଦାନ କରାଯିବ।

ଉକ୍ତ ସାରସ୍ୱତ ସମାବେଶରେ ପୂର୍ବତନ ଆୟକର କମିଶନର ଶୋଭନ କର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା, ଅଖିଳ ଭାରତୀୟ ସାହିତ୍ୟ ପରିଷଦ (ଓଡ଼ିଶା)ର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକ, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ, ଅଧ୍ୟାପିକା ଡ. ରୋଜାଲିନ, ଓଡ଼ିଆ ଗୀତିକବି ସମାଜର ସମ୍ପାଦକ ପ୍ରେମଚାନ୍ଦ ମହାନ୍ତି, ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ ଏବଂ ଅଖିଳ ଭାରତୀୟ କବୟିତ୍ରୀ ସମ୍ମିଳନୀର ସଚିବ ପ୍ରଫେସର ବୀଣାପାଣି ମିଶ୍ର ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ। ଶେଷରେ ଉପସଭାପତି ଡ. ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *