କଟକ : କଟକ ସଦର ବ୍ଲକ ବୟାଳିଶମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ ତଥା କଳାକାର ସ୍ୱର୍ଗତ ନାରାୟଣ ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ତଥା ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। କଳପଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଜ୍ୟୋତିରଞ୍ଜନ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ବୟାଳିଶମୌଜା ବିକାଶ ପରିଷଦର ସମ୍ପାଦକ ସନ୍ତୋଷ କୁମାର ପତି ପୌରୋହିତ୍ୟ କରିଥିଲେ।
ପ୍ରାରମ୍ଭରେ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ପଣ୍ଡିତ ଶକ୍ତିଧର ପତି ବେଦପାଠ କରିଥିବା ବେଳେ ଅଭୟ କୁମାର ମହାପାତ୍ର ଶ୍ରୀମଦ୍ ଭାଗବତ ପାଠ ଏବଂ ଜ୍ୟୋତିରଞ୍ଜନ ଭୋଳ ଶ୍ରୀମଦ୍ଭଗବଦ୍ ଗୀତା ପାଠ କରିଥିଲେ। ସେହିପରି ଅଧ୍ୟାପକ ଖଲିକୁଜ ଜମାନ୍ ଖାଁ ପବିତ୍ର କୋରାନ୍ ଏବଂ ଚିତ୍ରସେନ ଦାସ ପବିତ୍ର ବାଇବେଲ୍ ପାଠ କରିଥିଲେ।
ଏହି ଅବସରରେ କଦମ୍ବେଶ୍ୱର ପରିଚାଳନା କମିଟିର ପ୍ରମୁଖ ଶିକ୍ଷାବିତ୍ ରବୀନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ପତି, ଜୟକୃଷ୍ଣ ମୁଦୁଲି, ରମେଶ ଚନ୍ଦ୍ର ପତି, ସଂଗ୍ରାମ ସିଂ ବେହୁରା, ବିଜୟ କୁମାର ରାଉତରାୟ, ପ୍ରକାଶ ଚୌଧୁରୀ, ବୟାଳିଶମୌଜା ଶାନ୍ତି କମିଟିର ସଭାପତି ଶରତ ଚନ୍ଦ୍ର ରାୟ, ଉପସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ରୋହିତ ସ୍ୱାଇଁ, ସୁଶାନ୍ତ ପରିଡ଼ା, ଚିନ୍ମୟ କୁମାର ଭୋଳ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ପୁଷ୍ପଲତା ଗିରି, ଭକ୍ତିପୁଷ୍ପା ଶତପଥୀ, ପ୍ରଦୀପ୍ତ ମହାପାତ୍ର, ନବକିଶୋର ନାୟକ, ନାରାୟଣ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ଅନୀଲ କୁମାର ଦାସ ଓ ପ୍ରାଣକୃଷ୍ଣ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ।
ସଭାରେ ଶିଶୁମନ୍ଦିରର ସମସ୍ତ ଗୁରୁଜୀ-ଗୁରୁମା, ବନ୍ଧୁପରିଜନ, ଝିଅ, ଜ୍ୱାଇଁ ଏବଂ ନାତିନାତୁଣୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ‘ଜଗନ୍ନାଥ ଭଜନ ସନ୍ଧ୍ୟା’ ତରଫରୁ ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା।
