ଝଙ୍କଡ଼ ସାରଳାପୀଠରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସତସଙ୍ଗ ଲୀଳାଉତ୍ସବ

ରାଜ୍ୟ
Spread the love

• ସାରଳା ଓ ଜଗନ୍ନାଥ ସଂସ୍କୃତିର ସମନ୍ୱୟ ଉପରେ ଗୁରୁତ୍ୱ

ଝଙ୍କଡ଼: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଗତ ପବିତ୍ର ଗୁରୁବାର ପୂର୍ବାହ୍ନରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାସତସଙ୍ଗ ଲୀଳା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। କଟକ ବୟାଳିଶୀ ମୌଜା ରାଉତରାପୁର ସ୍ଥିତ ‘ସାରଳା ଆଶ୍ରମ’ର ପ୍ରତିଷ୍ଠାତା ଶ୍ରୀଗୁରୁ ଡଃ ପ୍ରଦ୍ୟୁମ୍ନ କିଶୋର ଦେବ ମହାରାଜଙ୍କ ଅଧ୍ୟକ୍ଷତାରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଗୁରୁ ପରମହଂସ ସ୍ୱାମୀ ଶ୍ରୀ ରାଧାମୋହନ ଦେବଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ମାଆ ସାରଳାଙ୍କ ମନ୍ଦିର ବେଢ଼ାରୁ କରାଯାଇଥିଲା। ଏକ ବର୍ଣ୍ଣାଢ୍ୟ ପଟୁଆରରେ ମହାମନ୍ତ୍ର ନାମସଂକୀର୍ତ୍ତନ ସହ ପୀଠ ପରିକ୍ରମା କରାଯିବା ପରେ ମାଆଙ୍କ ଚନ୍ଦନ ପୁଷ୍କରିଣୀର ଦକ୍ଷିଣ ପାର୍ଶ୍ୱରେ ଥିବା ଉତ୍ସବ ସ୍ଥଳରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁ, ଭକ୍ତ, ଶିଷ୍ୟ ଓ ଅନୁଗାମୀମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଡଃ ପ୍ରଦ୍ୟୁମ୍ନ କିଶୋର ଦେବ ମାଆ ସାରଳାଙ୍କ ଆବାହନୀ ମନ୍ତ୍ର, ସ୍ତୋତ୍ର ଓ ଭକ୍ତିସଙ୍ଗୀତ ପରିବେଷଣ କରିବା ସହ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମାଆ ସାରଳା ଠାକୁରାଣୀ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ତଥା ସାରଳା ସଂସ୍କୃତି ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟକୁ ବିଶ୍ୱ ଦରବାରରେ ପ୍ରଚାର ଓ ପ୍ରସାର କରିବା ହେଉଛି ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ। ଏହି ଆଭିମୁଖ୍ୟକୁ ନେଇ ବୟାଳିଶି ମୌଜା ସ୍ଥିତ ମାଆ ସାରଳା ସେବାଶ୍ରମ ଦୀର୍ଘ ଦଶନ୍ଧି ଧରି ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଆସୁଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଦିବ୍ୟ ଲୀଳା ମହୋତ୍ସବରେ ମାଆ ପ୍ରଜ୍ଞା ପାରମିତା ଦେବୀ, ମାଆ ମାନସୀ ଦେବୀ, ମାଆ ଅପର୍ଣ୍ଣା, ମାଆ ସୁପର୍ଣ୍ଣା, ମାଆ ତପର୍ଣ୍ଣା, ମାଆ ଅଭିଷ୍ଠା ଓ ମାଆ ଦୀପ୍ତି ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେହିପରି ଦେବାଶିଷ ପରିଡ଼ାଙ୍କ ସମେତ ପ୍ରଫୁଲ୍ଲ ନାୟକ, ଅରୁଣ କୁମାର ଦାସ, ସାଇ ରଞ୍ଜିତ ଦାସ, ଧ୍ରୁବଚରଣ ସାହୁ (ଚାଇନା), ବି.ଏନ୍.ଏନ୍. ପପୁ, ପିଣ୍ଟୁ ଭାଇ ଓ ପ୍ରଭୁ ଭାଇ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

ଶେଷରେ ଅନୁଷ୍ଠାନର ପରିଚାଳକ ଅସିତ ରଞ୍ଜନ ପ୍ରଧାନ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଓ ସହଯୋଗୀମାନଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *