ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ସାଂସଦ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଓ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ ଦେବାଶିଷ ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଛି। ବିଜେଡି ବିରୋଧରେ ଦେବାଶିଷଙ୍କ ଅଭିଯୋଗକୁ ପାଲଟ ଜବାବ ଦେଇ ବିଜେଡି କହିଛି, ଦେବାଶିଷ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫାଶରେ ଫସିଯାଇଛନ୍ତି।
ଆଜି (ଗୁରୁବାର) ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେଡି ଦଳରୁ ୫ ଥର ବିଧାୟକ ଟିକେଟ ପାଇ ତିନି ତିନି ଥର ବିଧାୟକ ହୋଇଥିଲେ ଦେବାଶିଷ। ଦଳର ବିଭିନ୍ନ ପଦପଦବିରେ ରହିଥିବା ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ। ଏତିକିରେ ମଧ୍ୟ ତାଙ୍କର ଉଚ୍ଚାଙ୍କାକ୍ଷା ସନ୍ତୁଷ୍ଟହୋଇନାହିଁ।
ବିଜେଡି କହିଛି, ବିଗତ କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ୍ ଚାଲିଛି । ସେହି କ୍ରମରେ ଦେବାଶିଷ ସମାନ୍ତରାୟ ଗତ ୨ ଦିନ ତଳେ ବିଜେପି ଦଳର ପ୍ରଲୋଭନରେ ପ୍ରଭାବିତ ହୋଇ ନିଜ ସ୍ୱାର୍ଥ ହାସଲ ପାଇଁ ବିଜେପିରେ ଯୋଗଦେଲେ । ବିଜେଡି ସରକାରର ଶାସନ କାଳରେ ସେ ସମସ୍ତ ପ୍ରକାର ଫାଇଦା ନେଇ ନିଜର ପାରିବାରିକ ବ୍ୟବସାୟିକ ସାମ୍ରାଜ୍ୟକୁ ଆଗକୁ ବଢ଼ାଇଥିଲେ । ସେତେବେଳେ ଦଳର ଗୁଣଗାନ କରିବାକୁ ପଛାଉ ନଥିବା ଦେବାଶିଷ, ଏବେ ବିରୋଧୀ ଦଳ ଆସନରେ ବସିଥିବା ବିଜେଡିକୁ ନିନ୍ଦା କରିବାକୁ ପଛାଉ ନାହାନ୍ତି । ବିଜେପିକୁ ଫେରି ନିଜ ଘରକୁ ଫେରିଥିବା କଥା କହୁଛନ୍ତି, କିନ୍ତୁ ବର୍ତ୍ତମାନ ବିଜେପିରେ ସମରକଷା ଚାଲିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟପଟେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଟ୍ ପ୍ରଶ୍ନପତ୍ର ଲିକ୍, ସିବିଏସ୍ଇ ପରୀକ୍ଷା ବିଭ୍ରାଟ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ସାଇଡ୍ ଲାଇନ୍ କରୁଥିବା ବେଳେ ରାଜ୍ୟରେ ଘଟୁଥିବା ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜନତାଙ୍କ ରୋଷର ଶିକାର ହେଉଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ରାପ୍ରେ ଫସି ବିଜେଡି ଦଳରୁ ନିଜ ବ୍ୟବସାୟିକ ସ୍ୱାର୍ଥ ପାଇଁ ବିଜେଡିରୁ ଦେବାଶିଷ ଦୂରେଇ ଯାଇଛନ୍ତି।
ଦେବାଶିଷଙ୍କ ପରି ଜଣେ ସ୍ୱାର୍ଥବାଦୀ ଲୋକ ନବୀନଙ୍କ ନେତୃତ୍ୱ ଉପରେ ଟିପ୍ପଣୀ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ। ଦେବାଶିଷଙ୍କ ମନ୍ତବ୍ୟ ଅପରିପକ୍ୱତାର ପରିଚୟ । ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ବିଜୁ ଜନତା ଦଳରୁ ସବୁ ଫାଇଦା ହାସଲ କରି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ଯେଉଁ ଟୀକାଟିପ୍ପଣୀ କରୁଛନ୍ତି ସେଥିରୁ କ୍ଷାନ୍ତ ରୁହନ୍ତୁ, ନ ହେଲେ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ ।
