ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜାଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ: ଶିକ୍ଷାବିତ ପଣ୍ଡିତ ଭାସ୍କର ଶତପଥୀଙ୍କୁ ‘ସାରସ୍ୱତ ସମ୍ମାନ’

କୃଷି
Spread the love

ଝଙ୍କଡ଼, ୦୧/୦୬ (ନି.ପ୍ର): ସାରଦା ଏକାଡେମୀ, କନକପୁରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ କୃତି ଶିକ୍ଷକ ତଥା ବିଶିଷ୍ଟ ସାରସ୍ୱତ ସାଧକ ସ୍ୱର୍ଗତ ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜାଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଆଦିକବି ଶୂଦ୍ରମୁନି ସାରଳାଦାସଙ୍କ ସମାଧିପୀଠ, ମୁନିଗୋସାଇଁ ମଠ ଓ ଆଦିକବି ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଡଃ ବିଷ୍ଣୁପ୍ରିୟା ଦାସ ଏବଂ ସମ୍ମାନିତ ଅତିଥି ଭାବେ ଡଃ ଆରତୀ ତ୍ରିପାଠୀ ଯୋଗଦେଇ ସ୍ୱର୍ଗତ ପରିଜାଙ୍କ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରକୁ ରହିଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନ ସମ୍ପାଦକ ପଣ୍ଡିତ ବାସବନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ କବି ଗୋଲୋକ ବିହାରୀ ପଲାଇ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ଶିକ୍ଷାବିତ ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀଙ୍କୁ ସ୍ୱର୍ଗତ ପରିଜାଙ୍କ ସ୍ମୃତିରେ ‘ସାରସ୍ୱତ ସମ୍ମାନ’ ଓ ଅର୍ଥରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଅତିଥିମାନଙ୍କ ଦ୍ୱାରା ପ୍ରଭାତ କୁମାର ପରିଜାଙ୍କ ରଚିତ ପୁସ୍ତକ “ଆମରି କୃଷି, ପିଲାଙ୍କ ଖୁସି” ଉନ୍ମୋଚିତ ହୋଇଥିଲା। ‘ଝଙ୍କଡ଼ କନ୍ୟା’ ସବିତା ନାୟକଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ୨୫ରୁ ଅଧିକ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବାରେ କବି ହେମନ୍ତ କୁମାର ନାୟକ, ନାରାୟଣ ନାୟକ, ଦିଗମ୍ବର ରାଉତ, ନିତ୍ୟାନନ୍ଦ ନାୟକ, ଅଞ୍ଜନା ମହାନ୍ତି, ଦେବେନ୍ଦ୍ର ନାଥ କର, ନିର୍ମଳା ସାହୁ, ନିତ୍ୟାନନ୍ଦ ଦାସ, ‘ସାରଳା ପାଞ୍ଜି’ର ଉପସଭାପତି ବିକାଶ କୁମାର ପରିଜା, ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର ଗୌରାଙ୍ଗ ଚରଣ ଦାସ ଏବଂ ଆଦିକବି ସାଂସ୍କୃତିକ ପରିଷଦର ସମ୍ପାଦକ ଚିତ୍ତରଞ୍ଜନ ପରିଜା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସଂସଦର କୋଷାଧ୍ୟକ୍ଷ ଝୁଲରାମ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *