ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଗତି ମନ୍ଥର ରହିଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଗଭୀର ଅବପାତଟି ଧୀରେ ଧୀରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାର ଗତି ମନ୍ଥର ଥିବାରୁ ବର୍ଷାର ପରିମାଣ ଅଧିକ ରହିବା ସହ ଏହାର ପ୍ରଭାବ ଦୀର୍ଘ ସମୟ ଧରି ଅନୁଭୂତ ହେବା ଆଶଙ୍କା ରହିଛି।ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଗଭୀର ଅବପାତକୁ ଉପକୂଳ ଛୁଇଁବା ପାଇଁ ଆହୁରି ପ୍ରାୟ ୭ ଘଣ୍ଟା ସମୟ ଲାଗିପାରେ। ଆଜି ରାତିରେ ଏହା କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଉପକୂଳ ଅତିକ୍ରମ ସମୟରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇପାରେ।ଗଭୀର ଅବପାତର ପ୍ରଭାବ ସମଗ୍ର ଦକ୍ଷିଣ ଓଡ଼ିଶା ଉପରେ ରହିବ। ବିଶେଷକରି ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଭଳି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା କରାଯାଉଛି। ମନ୍ଥର ଗତି ଯୋଗୁଁ ଅନେକ ସ୍ଥାନରେ ଦୀର୍ଘ ସମୟ ଧରି ବର୍ଷା ହୋଇପାରେ।ଅତିବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ନଦୀନାଳର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।ଗତି ମନ୍ଥର ଥିବାରୁ ବର୍ଷାର ପ୍ରଭାବ ଅଧିକ ସମୟ ରହିବା ହିଁ ଏବେ ଚିନ୍ତାର କାରଣ ହୋଇଛି।
