୨୭୭ଗ୍ରାମ୍‌ ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ

ଜଗତସିଂହପୁର
Spread the love

ଜଗତସିଂହପୁର: ଓଡ଼ିଶା ପୁଲିସର ଧଳା ଜହର ମିସନ ଅଭିଯାନ ବଳରେ ଆଜି ୨୭୭.୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜଗତସିଂହପୁର ପୁଲିସ ଦ୍ବାରା ଜବତ ହୋଇଥିବା ଏହି ବ୍ରାଉନସୁଗାରର ମୂଲ୍ୟ ୪୧ ଲକ୍ଷ ୫୫ ହଜାର ଟଙ୍କା ହେବ। ଏହି ମାମଲାରେ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ପୁଲିସ କହିଛି ଯେ, ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଜଗତସିଂହପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ବ୍ରାଉନସୁଗାର ବେପାରୀଙ୍କ ଉପରେ ଏକ ପୁଲିସ ଟିମ୍‌ ଦ୍ବାରା ଚଢ଼ଉ କରାଯାଇଥିଲା। ଜଣେ ମହିଳାଙ୍କ ନେତୃତ୍ବରେ ଚାଲିଥିବା ବ୍ରାଉନସୁଗାର ରାକଟେର ପର୍ଦ୍ଦାଫାସ ଯଶୋବନ୍ତପୁରରେ ହୋଇଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ତାରା ଶର୍ମା ଏହି ବେଆଇନ କାରବାର ମୁଖ୍ୟ ଅଭିଯୁକ୍ତ।
ପୁଲିସ କହିଛି, ଏହି ମାମଲାରେ ଜଣେ ମହିଳାଙ୍କ ସମେତ ମୋଟ ୫ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିର ବିଜୟ କୁମାର ଶର୍ମାଙ୍କ ସ୍ତ୍ରୀ ତାରା ଶର୍ମା (୩୦), ଲକ୍ଷ୍ମୀସାଗର ଥାନା ଝାରପଡ଼ା ମହାଦେବନଗର ବାସିନ୍ଦା ପଦ୍ମନାଭ ନାୟକଭଙ୍କ ପୁଅ ସରୋଜ ନାୟକ (୨୯), କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ରସାଳପୁର ଗ୍ରାମର ନଗେନ୍ଦ୍ର ବେହେରାଙ୍କ ପୁଅ ନିତିନ ବେହେରା (୨୩), ଝାରପଡ଼ା ଥାନା ଅଧୀନ ମହାଦେବ ନଗରର ସନ୍ତୋଷ ଦାସଙ୍କ ପୁଅ ବିକାଶ ଦାଶ (୨୨) ଏବଂ ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବିଚିତ୍ରାନନ୍ଦ ଦଳାଇଙ୍କ ପୁଅ ତାପସ ଦଳାଇ (୨୮)।
ପୁଲିସ କହିଛି ଯେ, ଅଭିଯୁକ୍ତମାନଙ୍କ ଠାରୁ ୨୭୭.୫ ଗ୍ରାମ ବ୍ରାଉନସୁଗାର, ଏକ ଧଳା କାର (ଓଡି ୩୩ ଏଆର ୨୦୫୨) ଏବଂ ୫ଟି ମୋବାଇଲ ଜବତ ହୋଇଛି। ପୁଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ବୃତ୍ତିଧାରୀ ନିଶା ସାମଗ୍ରୀ ବ୍ୟବସାୟୀ। ଏମାନେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣୁଥିଲେ। ୧୦ଗ୍ରାମ ପିଛା ପ୍ରାୟ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ।

Leave a Reply

Your email address will not be published. Required fields are marked *