ହାତୀ ଆକ୍ରମଣରେ ଶ୍ରମିକ ମୃତ

ରାଜ୍ୟ
Spread the love

ଢେଙ୍କାନାଳ : ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ମହାବିରୋଡ ରେଞ୍ଜ ଡମୋଳ ଗ୍ରାମର ଅନିରୋଧ ବେହେରା। ତାଙ୍କୁ ୫୦ ବର୍ଷ ହୋଇଥିଲା।
ଅନିରୋଧ ଇଟାଭାଟିରୁ କାମ ସାରି ସାଇକେଲ ଯୋଗେ ଫେରିବା ବେଳେ ହାତୀ ସହିତ ତାଙ୍କର ମୁହାଁମୁହିଁ ହୋଇଯାଇଥିଲା। ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ମହାବିରୋଡ଼ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ମେଡିକାଲକୁ ପଠାଇଥିଲା। ହାତୀ ସ୍କ୍ୱାଡ୍‌ ଥାଇ ବାରମ୍ବାର ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ହେବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ମହାବିରୋଡ଼ ବନାଞ୍ଚଳର ଡିହଡୋଳ ଫରେଷ୍ଟସେକ୍ସନ ହାତୀ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏଲିଫ୍ୟାଣ୍ଟ ସ୍କ୍ୱାଡ୍‌ର କର୍ମଚାରୀମାନେ ଠିକ ଭାବରେ ହାତୀଙ୍କ ଉପରେ ନଜର ରଖୁନଥିବା ନେଇ ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କାନ୍ଦରାଶୁଣିସ୍ଥିତ ଫାର୍ମ ହାଉସ୍ ଭିତରେ ହାତୀ ମାରି ପୋତାଯିବା ଘଟଣାରେ ବନ ବିଭାଗ ନେଇଛି କାର୍ଯ୍ୟାନୁଷ୍ଠାନ। ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ସେକ୍ସନ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଦୀପ୍ତିରଞ୍ଜନଙ୍କୁ ନିଲମ୍ବନ କରିଛନ୍ତି ଅନୁଗୋଳ RCCF ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ। ନିଲମ୍ବନ ଅବଧିରେ ଫରେଷ୍ଟର ଦୀପ୍ତିରଞ୍ଜନଙ୍କୁ ବିନା ଅନୁମତିରେ ଢେଙ୍କାନାଳ DFOଙ୍କ କାର୍ଯ୍ୟାଳୟ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ। ଅପରପକ୍ଷରେ ହିନ୍ଦୋଳ ରେଞ୍ଜ ଅଫିସର ତ୍ରିଲୋଚନ ଦେହୁରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଅନୁଗୁଳ RCCF।

Leave a Reply

Your email address will not be published. Required fields are marked *