ପୁଣି ବଢ଼ିଲା ବସ୍ ଭଡ଼ା

ରାଜ୍ୟ
Spread the love

ଭୁବନେଶ୍ବର : ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର। ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ଲେଖାଏ ବଢ଼ିଲା। ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା କିଲୋମିଟର ପିଛା ୯୦ ପଇସା ଥିବା ବେଳେ ଏହା ୯୨ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୯୪ ପଇସା ଥିଲା ବେଳେ ଏବେ ୯୬ ପଇସାକୁ ବୃଦ୍ଧି ପାଇଛି।
ଡିଲକ୍ସ ବସ୍‌ର ଭଡ଼ା ପୂର୍ବରୁ କିଲୋମିଟର ପିଛା ୧୩୧ ପଇସା ଥିବା ବେଳେ ଏବେ ୪ ପଇସା ବଢ଼ି ୧୩୫ ପଇସାରେ ପହଞ୍ଚିଛି। ଏସି ଡିଲକ୍ସ ବସ୍‌ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ଏହି ବର୍ଗର ବସ୍‌ ସେବା ପାଇଁ ଯାତ୍ରୀମାନଙ୍କୁ କିଲୋମିଟର ପିଛା ୧୫୯ ପଇସା ଦେବାକୁ ପଡୁଥିବା ବେଳେ ଏବେ ୧୬୩ ପଇସାକୁ ଦେବାକୁ ହେବ। ଅର୍ଥାତ୍ ଏହି ବସ୍‌ର ଭଡ଼ା ମଧ୍ୟ କିମି ପିଛା ୪ ପଇସା ବଢ଼ିଛି।
ସୁପର ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୬ ପଇସା ବଢ଼ିଛି। ପୂର୍ବରୁ ଏହି ବର୍ଗର ବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ କିଲୋମିଟର ପିଛା ୨୪୭ ପଇସା ଦେବାକୁ ପଡୁଥିଲା। ଏବେ ସେମାନଙ୍କୁ କିମି ପିଛା ୨୫୩ ପଇସା ଦେବାକୁ ପଡ଼ିବ।
ମେ’ ୨୫ ତାରିଖରେ ପେଟ୍ରୋଲର ଲିଟର ପିଛା ଦାମ ୨.୬୧ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୨.୭୧ ଟଙ୍କା ବଢ଼ିଥିଲା। ଏହାକୁ ମିଶାଇ ୧୧ ଦିନ ଭିତରେ ତୈଳ ଦର ୪ର୍ଥ ଥର ପାଇଁ ବୃଦ୍ଧି ପାଇଥିଲା। ଏହି ୧୧ ଦିନ ଭିତରେ ସମଗ୍ର ଦେଶରେ ପେଟ୍ରୋଲ ଲିଟର ପିଛା ୭.୫୦ ଟଙ୍କା ଓ ଡିଜେଲ ଦର ପ୍ରାୟ ୮ ଟଙ୍କା ମହଙ୍ଗା ହୋଇଥିଲା।
ମେ’ ୨୫ ତାରିଖରେ ପୁନର୍ବାର ତେଲ ଦର ବଢ଼ିବା ପରେ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଦାବି କରିଥିଲା ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ନ ବଢ଼ିଲେ ବସ୍‌ ଗଡ଼ିବନି ବୋଲି କହିଥିଲା ସଂଘ। ସଂଘ ତରଫରୁ କୁହାଯାଇଥିଲା ଯେ ବସ ଭଡ଼ା ବୃଦ୍ଧି ପାଇଁ ସରକାର ସ୍ପଷ୍ଟ ନୀତି ଆପଣାନ୍ତୁ।

Leave a Reply

Your email address will not be published. Required fields are marked *