ନୂଆଦିଲ୍ଲୀ : ଦୀର୍ଘବର୍ଷର ତର୍କବିତର୍କ ଓ ଛକାପଞ୍ଝା ପରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ବୃତ୍ତିଗତ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ଦ୍ଧିତ ସଂରକ୍ଷଣ ହାର ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପ୍ରଥମଥର ପାଇଁ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ସୁବିଧା ସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଂରକ୍ଷଣ ହାର ମଧ୍ୟ ବୃଦ୍ଧି ପାଇଛି।
ଆଜି(ଜୁନ୍ ୨) ବିଧିବଦ୍ଧ ଭାବେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସ୍ମାରକପତ୍ର (ଅଫିସ ମେମୋରେଣ୍ଡମ) ଜାରି ହୋଇଛି। ଏହି ନୂଆ ନିୟମକୁ ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି। ଗତ ଏପ୍ରିଲ ୫ତାରିଖରେ ରାଜ୍ୟ କ୍ୟାବିନେଟ୍ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥାକୁ ଅନୁମୋଦନ କରିଥିଲେ।
ବିଭାଗ ପକ୍ଷରୁ ଜାରି କାର୍ଯ୍ୟାଳୟ ସ୍ମାରକପତ୍ର ଅନୁସାରେ, ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ (ନାମଲେଖା ନିୟନ୍ତ୍ରଣ ଓ ଫି ନିର୍ଦ୍ଧାରଣ) ଅଧିନିୟମ ୨୦୦୭ର ଧାରା-୪ ଅଧୀନରେ ଗଠିତ ‘ନୀତି ନିର୍ଦ୍ଧାରଣ କମିଟି’ଙ୍କ ସୁପାରିଶ ଆଧାରରେ ଚଳିତ ଶିକ୍ଷାବର୍ଷରୁ ବର୍ଦ୍ଧିତ ସଂରକ୍ଷଣ ହାର କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି।
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇଟିଆଇ, ପଲିଟେକନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିୟରିଂ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣୀ ଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲଚର ଆଣ୍ଡ ଆଲାଏଡ୍ ସାଇନ୍ସ, ଆର୍କିଟେକଚର, ପ୍ଲାନିଂ, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଭଳି ସମସ୍ତ ବୃତ୍ତିଗତ ପାଠ୍ୟକ୍ରମର ସାର୍ଟିଫିକେଟ୍, ଡିପ୍ଲୋମା, ସ୍ନାତକ ଓ ସ୍ନାତକୋତ୍ତରସ୍ତରରେ ଲାଗୁ ହେବ। ଏହି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜନଜାତି ପାଇଁ ୨୨.୫୦% ଓ ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫% ସଂରକ୍ଷଣ ହାର ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ।
ଏହି ନୂଆ ଏକକ (ୟୁନିଫର୍ମ) ସଂରକ୍ଷଣ ନିୟମ ପ୍ରସ୍ତୁତ କରିବା ସମୟରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ବାର୍ଷିକ ଅନୁମୋଦିତ ଆସନ ସଂଖ୍ୟା ହିସାବ କରାଯିବାବେଳେ ସର୍ବଭାରତୀୟ କୋଟା ପାଇଁ ଉଦ୍ଦିଷ୍ଟ ଥିବା ସଂରକ୍ଷିତ ଆସନଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ନାହିଁ।
ଏହାବ୍ୟତୀତ ସମାନ୍ତରାଳ ସଂରକ୍ଷଣ ଓ ଆର୍ଥକ ଭାବେ ଦୁର୍ବଳ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ପୂର୍ବଭଳି ପ୍ରଚଳିତ ଅଧିନିୟମ, ନିୟମାବଳୀ ଓ ସରକାରଙ୍କ ଦ୍ୱାରା ସମୟ ସମୟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହେବ। ବିଭାଗୀୟ ସଚିବ ବି. ପରମେଶ୍ୱରନ୍ ଏହି କାର୍ଯ୍ୟାଳୟ ସ୍ମାରକପତ୍ର ଜାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ନୂଆ ସଂରକ୍ଷଣ ବ୍ୟବସ୍ଥା ଫଳରେ ରାଜ୍ୟରେ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ ଆସନ ସଂଖ୍ୟାରେ ବଡ଼ ପରିବର୍ତ୍ତନ ଆସିବ। ରାଜ୍ୟର ମୋଟ ୨୪୨୧ଟି ମେଡିକାଲ ସିଟ୍ ମଧ୍ୟରୁ ଏସଟିଙ୍କ ପାଇଁ ଆସନ ସଂଖ୍ୟା ୨୯୦ରୁ ୫୪୫କୁ ଓ ଏସସିଙ୍କ ପାଇଁ ୧୯୩ରୁ ୩୯୩ କୁ ବୃଦ୍ଧି ପାଇବା ସହ ଏସଇବିସି ବର୍ଗଙ୍କୁ ୨୭୨ଟି ସିଟ୍ ମିଳିବ । ସେହିପରି ୪୪୫୭୯ଟି ଇଞ୍ଜିନିୟରିଂ ସିଟ୍ ମଧ୍ୟରୁ ଏସଟିଙ୍କ ପାଇଁ ୧୦୦୩୦, ଏସସିଙ୍କ ପାଇଁ ୭୨୪୪ ଓ ଏସଇବିସି ବର୍ଗଙ୍କ ପାଇଁ ୫୦୧୫ଟି ଆସନ ସଂରକ୍ଷିତ ରହିବ।
ଚଳିତବର୍ଷ ଏପ୍ରିଲ ୫ତାରିଖରେ ରାଜ୍ୟ(Odisha) କ୍ୟାବିନେଟ୍ ବୈଠକରେ ଉଚ୍ଚଶିକ୍ଷା ବିଭାଗରେ ବର୍ଦ୍ଧିତ ସଂରକ୍ଷଣ ଓ ଏସଇବିସିଙ୍କ ପାଇଁ ପ୍ରଥମଥର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲା। ରାଜ୍ୟରେ ମେଡିକାଲ, ନର୍ସିଂ, ଇଞ୍ଜିନିୟରିଂ,ପଲିଟେକନିକ୍, ଆଇଟିଆଇ, ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜନଜାତି(ଏସଟି) ବର୍ଗର ଛାତ୍ରଛାତ୍ରୀଙ୍କ ସିଟ୍ ସଂରକ୍ଷଣ ୧୨%ରୁ ୨୨.୫୦% ଓ ଅନୁସୂଚିତ ଜାତି(ଏସସି)ଙ୍କୁ ୮% ରୁ ୧୬.୨୫%କୁ ବୃଦ୍ଧି କରାଯାଇଥିବାବେଳେ ଏସଇବିସିଙ୍କୁ ପ୍ରଥମଥର ପାଇଁ ୧୧.୨୫% ସଂରକ୍ଷଣ ସୁବିଧା ଲାଗୁ କରାଯାଇଛି। ଏହା ରାଜ୍ୟର ଲକ୍ଷଲକ୍ଷ ପଛୁଆ ବର୍ଗର ପିଲାମାନଙ୍କର ଦୀର୍ଘବର୍ଷର ଦାବିକୁ ପୂରଣ କରିବାରେ ସହାୟକ ହୋଇଛି।
