ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଏକ ଡ୍ରିମ୍ ପ୍ରୋଜେକ୍ଟରେ ବୁଧବାର ଭିଜିଲାନ୍ସ ବିଭାଗ ହସ୍ତକ୍ଷେପ କରିଛି। ପୂର୍ବତନ ସରକାର ସମୟରେ ‘ବିକଶିତ ଗ୍ରାମ ବିକଶିତ ଓଡ଼ିଶା’ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଛି।
ଏହି ଆଧାରରେ ଭିଜିଲାନ୍ସର ୨୪ଟି ଟିମ୍ ଆଜି କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲ୍ଲାର ୫୦ଟି ଗ୍ରାମରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ବିଭାଗର ଏହି ୨୪ଟି ଟିମ୍ରେ ୮୧ ଜଣ ଅଧିକାରୀ ଅଛନ୍ତି। ଏଥିରେ ଅତିରିକ୍ତ ଏସ୍, ଡିଏସ୍ପି, ଇନ୍ସପେକ୍ଟର ପ୍ରମୁଖ ସାମିଲ ଅଛନ୍ତି। ତଦନ୍ତ ପାଇଁ ପ୍ରତ୍ୟେକ ଜିଲ୍ଲାରେ ୨୭ ଜଣ ଲେଖାଏଁ ଅଧିକାରୀ ଅଛନ୍ତି।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ‘ବିକଶିତ ଗ୍ରାମ ବିକଶିତ ଓଡ଼ିଶା’ ଅଧିନରେ ୨୦୨୧-୨୨ ଏବଂ ୨୦୨୨-୨୩ ରେ କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାର ୫୦ଟି ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ଏହି ତିନି ଜଲ୍ଲାରେ ଥିବା ପଞ୍ଚାୟତ ଅଧୀନରେ ଗୋଟିଏ ଗାଁରେ ଏହି ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା।
ତେବେ ତଦନ୍ତ ବେଳେ ଜଣାପଡ଼ିଛି ଯେ, ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ଟେଣ୍ଡର ପ୍ରକ୍ରିୟାରେ ନିୟମ ଉଲ୍ଲଙ୍ଘନ ହୋଇଥିବା ଜଣାପଡ଼ିଛି। ସେହିପରି ସରକାରୀ କର୍ମଚାରୀ ଓ ପ୍ରକଳ୍ପ ସଂସ୍ଥାର ସଂପୃକ୍ତି ଥିବା ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଛି। ତେବେ ଏହି ଯୋଜନାରେ କେତେ ଟଙ୍କାର ଦୁର୍ନୀତି ହୋଇଛି, କେଉଁମାନଙ୍କର ସଂପୃକ୍ତି ରହିଛି ତଦନ୍ତ ପ୍ରକ୍ରିୟା ଶେଷ ହେଲା ପରେ ଜଣାପଡ଼ିବ।
