ସାରଳାମେସରେ  ସପ୍ତଦଶ ‘ସାରଳା ମେଳା’ ମହୋତ୍ସବ ଅତି ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ

ଜଗତସିଂହପୁର ରାଜ୍ୟ
Spread the love

ଜଗତସିଂହପୁର (ତିର୍ତ୍ତୋଲ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ ବାଣୀକ୍ଷେତ୍ରସ୍ଥିତ  ଆଦିକବି ସାରଳାଦାସ ମହାବିଦ୍ୟାଳୟ ସମ୍ମୁଖସ୍ଥ ସାରଳା ମେସରେ  ସପ୍ତଦଶ ‘ସାରଳା ମେଳା’ ମହୋତ୍ସବ ଅତି ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।  ଏହି ମହୋତ୍ସବ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।

ଗତ ଗୁରୁବାର ପୂର୍ବାହ୍ନରେ, ପୁଣ୍ୟତୋୟା ଉତ୍କଳଗଙ୍ଗା ମହାନଦୀରୁ ପବିତ୍ର ତୀର୍ଥଜଳ ସଂଗ୍ରହ କରାଯାଇ ଏକ ବିଶାଳ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ମହାନଦୀ ବେଳାଭୂମିରୁ ବାହାରି ତିର୍ତ୍ତୋଲ ଲକ୍‌ଛକ ଓ ନେହେରୁ ବଜାର ଅତିକ୍ରମ କରି ମେଳା ସ୍ଥଳରେ ପହଞ୍ଚିଥିଲା। ଘଣ୍ଟଘଣ୍ଟା, କାହାଳି, ପଖାଉଜର ତାଳେ ତାଳେ ହରିବୋଲ, ହୁଳହୁଳି ଓ ‘ଜୟ ମା’ ସାରଳା’ ଧ୍ୱନିରେ କଟକ-ପାରାଦ୍ୱୀପ ରାଜରାସ୍ତା ପ୍ରକମ୍ପିତ ହୋଇଉଠିଥିଲା। ଏହି ଶୋଭାଯାତ୍ରା ମଧ୍ୟରେ କଳାକାର କ୍ରିଷ୍ଣାଙ୍କ ଦ୍ୱାରା ପରିବେଷିତ ‘ଦେବୀ ତାଣ୍ଡବ’ ନୃତ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପଥଚାରୀଙ୍କୁ ବିମୋହିତ କରିଥିଲା।

ଶୋଭାଯାତ୍ରାକୁ ମୁଖ୍ୟ ତୋରଣ ନିକଟରେ ସ୍ୱାଗତ କରାଯିବା ପରେ ପୂଜା ମଣ୍ଡପରେ ପଣ୍ଡିତ ପରମାନନ୍ଦ କର ମୁଖ୍ୟ ଆଚାର୍ଯ୍ୟ ଭାବେ ଏବଂ ପଣ୍ଡିତ ବିଶ୍ୱନାଥ ପଣ୍ଡା ଓ ଅନନ୍ତ ପ୍ରସାଦ କର ସହକାରୀ ଆଚାର୍ଯ୍ୟ ଭାବେ ଷୋଡ଼ଶୋପଚାର ପୂଜା ସମ୍ପାଦନ କରିଥିଲେ। ବିଶ୍ୱଶାନ୍ତି ଯଜ୍ଞରେ ଆହୁତି ପ୍ରଦାନ କରାଯିବା ସହ ଅନ୍ତେବାସୀ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସମବେତ ଭକ୍ତି ସଙ୍ଗୀତ ଓ ପ୍ରାର୍ଥନା ପରିବେଷଣ କରାଯାଇଥିଲା।

ସାରଳା ମେସର ମୁଖ୍ୟ ପରିଚାଳକ ଜଗନ୍ନାଥ ଦାସ (ବୁବୁଲା ସାର୍‌)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ କଲେଜ, ରାହାମା ସାରଳା କଲେଜ ଏବଂ କାନୀମୂଳ ବାୟା ଅବଧୂତ କଲେଜର ଅନେକ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ।

ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ବାଘୁଆବାରି ‘ମାତୃ ମହାବୀର ସେବା ସଂଘ’ର କଳାକାରମାନଙ୍କ ଦ୍ୱାରା ପରିବେଷିତ ଗୀତିନାଟ୍ୟ ଓ ଭଜନ। କଳାକାର ଅନିଲ କୁମାର ଦାସ, ଜିତେଶ ମହାନ୍ତି, ଲଳିତ ମହାନ୍ତି, ରୁଦ୍ରନାରାୟଣ ଦାସ, ଚିତ୍ତରଞ୍ଜନ ନାୟକ, କୁଶ ଓ ନାରାୟଣ ସ୍ୱାଇଁ ପ୍ରମୁଖ ସାରଳା ମେଳା ଗୀତିକା ଓ ଭକ୍ତି ସଙ୍ଗୀତ ପରିବେଷଣ କରି ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଓ ବିଦ୍ୟାର୍ଥୀ ମା’ଙ୍କ ନିକଟରେ ପୁଷ୍ପାଞ୍ଜଳି ଅର୍ପଣ କରି ବିଦ୍ୟା ଓ ବୁଦ୍ଧି ପ୍ରାପ୍ତି ନିମନ୍ତେ ଆଶୀର୍ବାଦ ଭିକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *