କଟକ: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଏବେ ଆକ୍ସନ ମୋଡ୍ରେ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଇବର ଅପରାଧୀଙ୍କ ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
୨୦ଟି ନୂଆ ସାଇବର ଥାନାକୁ ଅନୁମୋଦନ:
ସୂଚନାଯୋଗ୍ୟ ଯେ, ରାଜ୍ୟର ୨୦ଟି ପୋଲିସ ଜିଲ୍ଲାରେ ନୂତନ ସାଇବର ଥାନା ସ୍ଥାପନ ପାଇଁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ (CC & EO) ଥାନା କାର୍ଯ୍ୟ କରୁଛି। ଖୁବ୍ ଶୀଘ୍ର ଏହି ନୂଆ ଥାନାଗୁଡ଼ିକୁ ଉଦଘାଟନ କରାଯାଇ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରାଯିବ। ଏହି ଥାନାଗୁଡ଼ିକର ଭିତ୍ତିଭୂମି ମଜବୁତ କରିବା ସହ ଅତ୍ୟାଧୁନିକ ସଫ୍ଟୱେୟାର ଓ ହାର୍ଡୱେୟାର ବ୍ୟବହାର କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ନିଯୁକ୍ତି:
ଡିଜିପି ଏହି ସାଇବର ଥାନାଗୁଡ଼ିକୁ ସଶକ୍ତ କରିବା ପାଇଁ ବିଶେଷ ଦକ୍ଷତା ସମ୍ପନ୍ନ କର୍ମଚାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ସାଇବର ଫୋରେନସିକ୍ ଓ ଆର୍ଥିକ ବିଶ୍ଳେଷଣ କ୍ଷେତ୍ରରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
୨୦ରୁ ସ୍ୱତନ୍ତ୍ର ଡ୍ରାଇଭ୍:
ସାଇବର ଅପରାଧକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ମାସ ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ (Special Drive) ଆୟୋଜନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ CEIR ପୋର୍ଟାଲ ମାଧ୍ୟମରେ ଚୋରି ହୋଇଥିବା ମୋବାଇଲ୍ ଟ୍ରାକିଂ, ବେନାମୀ ବ୍ୟାଙ୍କ ଖାତା ଓ ବେନାମୀ ସିମ୍ କାର୍ଡ ବ୍ୟବହାରକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।
ଉଚ୍ଚସ୍ତରୀୟ ଉପସ୍ଥିତି:
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ଶ୍ରୀ ବିନୟତୋଷ ମିଶ୍ର, ଏଡିଜିପି (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ସଫିନ ଅହମ୍ମଦ କେ., ଆଇଜିପି (ଟ୍ରେନିଂ) ଶ୍ରୀ ଅନୁପ କୁମାର ସାହୁ ଏବଂ ଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଜିଲ୍ଲା ଏସପିମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।
