ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ମଙ୍ଗଳବାର ଦେଇଥିବା ଭାଷଣରେ ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେବା ସହ ନିଟ୍ ପରୀକ୍ଷା, ହିନ୍ଦୀ ଥୋପିବା ପ୍ରସଙ୍ଗ ଓ କରୁର ଦଳାଚକଟା ଘଟଣା ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ବିଜୟ କହିଛନ୍ତି, କିଛି ଲୋକ ତାଙ୍କୁ କେବଳ ଜଣେ ଅଭିନେତା ଏବଂ ତାଙ୍କ ଦଳ ତାମିଲଗା ଭେଟ୍ରି କଝଗମ୍କୁ କେବଳ ଅଭିନେତାଙ୍କ ଦଳ ବୋଲି କହୁଛନ୍ତି। ହେଲେ ଏଭଳି ସମାଲୋଚନାକୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ। ଜନସାଧାରଣଙ୍କ ଆସ୍ଥା ହାସଲ କରିବା ପାଇଁ ତାଙ୍କ ଦଳକୁ ଅନେକ ସଂଘର୍ଷ, ଷଡ଼୍ଯନ୍ତ୍ର ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୩୫ ପ୍ରତିଶତ ଭୋଟ୍ ପାଇଥିବା ସେ ସ୍ମରଣ କରାଇଥିଲେ।
ନିଟ୍ ପରୀକ୍ଷା ସମ୍ପର୍କରେ ସେ କହିଥିଲେ, ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସମାନତା ସୃଷ୍ଟି କରୁଛି। ଏହାକୁ ବାତିଲ କରି ଯୁକ୍ତ ଦୁଇ ପରୀକ୍ଷାର ପ୍ରାପ୍ତ ନମ୍ବର ଆଧାରରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଦେବାକୁ ସେ ଦାବି କରିଥିଲେ, ଯେଉଁ ଦାବି ତାଙ୍କର ପୂର୍ବବର୍ତ୍ତୀ ସରକାର ବି ଉଠାଇ ଆସୁଥିଲେ। ନିଟ୍କୁ ନେଇ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଓ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଉଛି ବୋଲି ସେ କହିଥିଲେ।
ହିନ୍ଦୀ ପ୍ରସଙ୍ଗରେ ବିଜୟ ସ୍ପଷ୍ଟ କରିଥିଲେ ଯେ, ତାମିଲନାଡୁରେ ବର୍ତ୍ତମାନର ଦୁଇ ଭାଷା ନୀତି ହିଁ ଜାରି ରହିବ। ତାମିଲ ରାଜ୍ୟର ଭାଷା ଓ ଇଂରାଜୀ ଆନ୍ତର୍ଜାତିକ ଯୋଗାଯୋଗର ଭାଷା ଭାବେ ପର୍ଯ୍ୟାପ୍ତ ବୋଲି ସେ କହିଥିଲେ। କରୁରରେ ନିର୍ବାଚନୀ ସଭା ବେଳେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ଘଟଣାକୁ ଉଲ୍ଲେଖ କରି ବିଜୟ କହିଥିଲେ, ଏହି ଦୁର୍ଘଟଣାର ଯନ୍ତ୍ରଣା ସେ କେବେ ଭୁଲିପାରିବେ ନାହିଁ। କିନ୍ତୁ ଏହି ଘଟଣା ପାଇଁ ମଧ୍ୟ ତାଙ୍କ ଦଳକୁ ଦୋଷାରୋପ କରାଯାଇଛି, ଯାହା ଦୁଃଖଦ ବୋଲି ସେ କହିଥିଲେ
ସେ ୧୯୬୭ରେ ସିଏନ୍ ଅନ୍ନାଦୁରାଇ ଏବଂ ୧୯୭୭ରେ ଏମ୍ଜି ରାମଚନ୍ଦ୍ରନଙ୍କ ସରକାର ବିଷୟରେ ଉଲ୍ଲେଖ କରି କହିଥିଲେ, ସେହିପରି ୨୦୨୬ରେ ତାଙ୍କ ସରକାର ମଧ୍ୟ ସାଧାରଣ ଲୋକଙ୍କ ପାଇଁ କାମ କରିବ। ବଂଶାନୁକ୍ରମିକ ରାଜନୀତିକୁ ପରୋକ୍ଷରେ ସମାଲୋଚନା କରି ସେ କହିଥିଲେ, ତାଙ୍କ ଦଳ କୌଣସି ଗୋଟିଏ ପରିବାରକୁ ନୁହେଁ, ବରଂ ତାମିଲନାଡୁର ପ୍ରତ୍ୟେକ ପରିବାରର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାମ କରିବ।
