ପୁରୀ: ରଥଯାତ୍ରା ୨୦୨୬ ପାଖେଇ ଆସୁଛି। ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଜାରି ରଖିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଖୁବ୍ ଶୀଘ୍ର ଏ ବ୍ୟବସ୍ଥା ଲାଗୁ ହେବ। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ସାହାଯ୍ୟରେ ୩ମାସ ପୂର୍ବରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଓକାକ ଏଥି ପାଇଁ ସ୍ୱତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରୁଛି। ଆଧାର କାର୍ଡ ସ୍କାନ କରି ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ। ଏହା ଖୁବ୍ ଶୀଘ୍ର ଲାଗୁ ହେବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଆୟୋଜିତ ରଥଯାତ୍ରା ୨୦୨୬ ଦ୍ୱିତୀୟ ସମନ୍ୱୟ ସଭାରେ ସୂଚନା ଦେଇଛନ୍ତି। ଏହାସହିତ ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ସହ ସ୍ୱାସ୍ଥ୍ୟ ଓ ପରିବହନ ସବୁ ବିଭାଗର ମାଷ୍ଟର ପ୍ଲାନର ହୋଇଛି ସମୀକ୍ଷା। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ଏଥର ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ବ୍ୟାପକ ପୁଲିସ ମୁତୟନ ସହିତ ୪୭୩ ସିସିଟିଭି କ୍ୟାମେରା ଲାଗିବ। ଏପର୍ଯ୍ୟନ୍ତ ୨୦୦ କ୍ୟାମେରାର ପରୀକ୍ଷଣ ହୋଇସାରିଛି। ପୁରୀ ସହରର ବଡ଼ଦାଣ୍ଡ ବ୍ୟତୀତ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ସିସିଟିଭି ନଜର ରଖିବ।
ଅନ୍ୟପଟରେ ଭାରତୀୟ ରେଳବାଇ ପକ୍ଷରୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ରଥଯାତ୍ରାରେ ୩୭୦ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା କରିବେ। ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଚିକିତ୍ସା ଶିବିର ପ୍ରତିଷ୍ଠା କରାଯିବ। ସମୁଦ୍ରକୂଳରୁ ପଞ୍ଚତୀର୍ଥ ପୁଷ୍କରିଣୀରେ ରହିବେ ସ୍ୱତନ୍ତ୍ର ପୁଲିସ ଟିମ୍ ସହ ରେସ୍କ୍ୟୁ ଟିମ୍।
ରଥଯାତ୍ରା ସମନ୍ବୟ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବ୍ୟତୀତ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ।
