କଟକ: ଏକ ନାବାଳକ ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଜଜ୍ (ଏଫଟିଏସସି-୧)ଙ୍କ ଅଦାଲତ ମାମଲାର ପ୍ରମୁଖ ଆସାମୀ ଉର୍ଦ୍ଦୁ ଶିକ୍ଷକ ହାଫିଜ୍ ନୁର୍ ଅର୍ତାଜ୍ ଓରଫ ଅଖତର (୨୦)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ବିଚାରପତି ପିକେ ଦାସ ପୋକସୋ ଆଇନର ଧାରା ୬ରେ ହାଫିଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜରିମାନା ରାଶି ଅନାଦେୟ କ୍ଷେତ୍ରରେ ଆସାମୀକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ପୀଡ଼ିତ ବାଳକକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସମାଜରେ ଶିକ୍ଷକଙ୍କ ସ୍ଥାନ ବହୁ ଉଚ୍ଚରେ ହୋଇଥିବା ବେଳେ ଏହି ମାମଲାରେ ଶିକ୍ଷକ ଭୂମିକା ନିର୍ବାହ ବେଳେ ଆସାମୀ କରିଥିବା କୁକାର୍ଯ୍ୟ ନିନ୍ଦାର ବିଷୟ। ଏଭଳି ଅପରାଧ ପାଇଁ ଉପଯୁକ୍ତ ଦଣ୍ଡ ପ୍ରଦାନ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୭ ବର୍ଷିୟ ବାଳକଙ୍କୁ ଉର୍ଦ୍ଦୁ ଶିକ୍ଷା ପ୍ରଦାନ ପାଇଁ ହାଫିଜ ତାଙ୍କ ଘରକୁ ସଂଧ୍ୟାରେ ଯାଉଥିଲା। ହାଫିଜ ପଢାଇବା ବେଳେ ପରିବାର ସଦସ୍ୟଙ୍କ ଅନୁପସ୍ଥିତି ଦେଖି ପୀଡ଼ିତ ନାବାଳକଙ୍କୁ ଯୌନ ନିର୍ଯାତନା ଦେଉଥିଲା। ମାଡ଼ ମାରୁଥିଲା। ଭୟଭୀତ କରି ନାବାଳକ ସହିତ ଦୁଷ୍କର୍ମ କରୁଥିଲା। ପରେ ପୀଡ଼ିତ ନାବାଳକ ଏ ନେଇ ପରିବାର ସଦସ୍ୟଙ୍କୁ କହିଥିଲା।
୨୦୨୫, ଅଗଷ୍ଟ ୨୩ରେ ପୀଡ଼ିତଙ୍କ ପରିବାର ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ମାମଲା ରୁଜୁ କରି ହାଫିଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାର ତଦନ୍ତ ତତ୍କାଳୀନ କ୍ୟାଣ୍ଟନମେଣ୍ଟ ଥାନା ଏସଆଇ ମୋତିଲାଲ ମାରାଣ୍ଡି କରିଥିଲେ। ୨୦୨୫, ଅକ୍ଟୋବର ୨୧ରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ। ନଭେମ୍ବର ୧୪ରେ ଅଦାଲତରେ ଚାର୍ଜଫ୍ରେମ ହୋଇଥିଲା ଓ ଡିସେମ୍ବର ୩ରେ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଥିଲା। ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ତରଫରୁ ୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶୁଭନାରାୟଣ ଦାସ ମାମଲା ପରିଚାଳନା କରୁଥିଲେ।
