ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

ଦେଶବିଦେଶ ରାଜ୍ୟ
Spread the love

ଭୁବନେଶ୍ବର: ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡିରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିର ପରିମାଣକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡିରେ ଆଖି ବୁଜିଲେ ଆଉ ଦୁଇ ଜଣ ଓଡ଼ିଆ। କେନ୍ଦୁଝର ଜିଲ୍ଲାର ସଜନୀ ଜୁଆଙ୍ଗଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ଜାମୁନି ଜୁଆଙ୍ଗଙ୍କର ବି ମୃତ୍ୟୁ ହୋଇଥିଲା । ଏହାସହ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡ଼ିଆଙ୍କ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗୁରୁତର ଭାବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସଜନୀ ଜୁଆଙ୍ଗ ଓ ଜାମୁନି ଜୁଆଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତକ ଜାମୁନୀଙ୍କ ଘର କେନ୍ଦୁଝର ତେଲକୋଇ ବ୍ଲକ ଟାଙ୍ଗିରି ଗାଁରେ। ପୂର୍ବରୁ କେବଳ କେନ୍ଦୁଝର ଜିଲ୍ଲାରୁ ୫ ଜଣଙ୍କର ଜୀବନ ଯାଇଥିଲା। ତେଲକୋଇ ଟାଙ୍ଗିରି ଗାଁରୁ ମୋଟ ୧୮ ଜଣ ଯାଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି ।ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସମ୍ମାନର ସହିତ ସେମାନଙ୍କ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଆହତ ଶ୍ରମିକମାନଙ୍କ ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି ଏବଂ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ପୀଡ଼ିତ ପରିବାରମାନଙ୍କୁ ସରକାରୀ ସହାୟତା ଏବଂ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଛି ।
ଏଣେ, ଓଡ଼ିଶା ଟିମ୍‌ର ସଦସ୍ୟ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନ କରିବେ। ରାଜେଶ ଅଗ୍ରୱାଲା ଏବଂ ବି.ବି. ଆଚାର୍ଯ୍ୟ ଚେନ୍ନାଇରେ ପହଞ୍ଚିବା ପରେ ତିରୁଭାଲ୍ଲୁର ଅଭିମୁଖେ ଯିବେ। ସେଠାରେ ଚିକିତ୍ସାଧୀନ ଆହତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରାଯିବ। କେତେକ ଆହତଙ୍କ ଅବସ୍ଥା ଏପର୍ଯ୍ୟନ୍ତ ସଙ୍କଟାପନ୍ନ ରହିଛି। ଅନ୍ୟ ଜଣେ ମୃତ ଶ୍ରମିକଙ୍କ ମୃତଦେହ ମଧ୍ୟ ବର୍ତ୍ତମାନ ତିରୁଭାଲ୍ଲୁରରେ ରହିଛି।
ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ ଏକ ମଣ୍ଡପ/କମ୍ୟୁନିଟି ହଲ୍‌ରେ ରଖାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଚେନ୍ନାଇ ଏବଂ ତିରୁଭାଲ୍ଲୁରର ବରିଷ୍ଠ ଶ୍ରମ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ସ୍ଥାପିତ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ଜାରି ରହିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି l

Leave a Reply

Your email address will not be published. Required fields are marked *