ପୁରୀ: ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସଂପନ୍ନ ହୋଇଛି। ସ୍ନାନବେଦିକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁଟକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପନ୍ନ ହୋଇଛି। ଆସନ୍ତାକାଲି ସେନାପଟା ଲାଗି ନୀତି ସମ୍ପାଦିତ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଚାରମାଳ ବନ୍ଧା ଓ ଆସନ୍ତାକାଲିର ସେନାପଟା ଲାଗି ପାଇଁ ଆଜି ରାତ୍ର ସାଢ଼େ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆସନ୍ତାକାଲି ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଭକ୍ତ ଦର୍ଶନର ସୁଯୋଗ ପାଇବେ ନାହିଁ। ସେନାପଟା ଲାଗି ଶେଷ ପରେ ଦୈନନ୍ଦିନ ନୀତି ବଢ଼ିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସକାଳେ ଦଇତାପତି ସେବକମାନେ ଶୁଦ୍ଧପୁତ ଭାବେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀବିଗ୍ରହଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସ୍ନାନଯାତ୍ରାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଶୃଙ୍ଖଳିତ କରିବା ନେଇ ମହାପ୍ରଭୁଙ୍କୁ ଗୁହାରି କରିଛନ୍ତି। ପହୁଡ଼ ଆଳତି ପରେ ବିଳମ୍ବିତ ରାତିରେ ଶ୍ରୀମୁଖ ଖଣ୍ଡୁଆ ନୀତି ସଂପନ୍ନ କରାଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଖଣ୍ଡୁଆରେ ଆଚ୍ଛାଦିତ କରାଯାଇଥିଲା। ଦଇତାପତି ସେବକମାନେ ବାହୁଟ କଣ୍ଟର ଗୋପନ ନୀତି ସଂପାଦନ କରିଥିଲ। ମହାପ୍ରଭୁଙ୍କ ଭୁଜକୁ ସୁରକ୍ଷା ଦେବା ପାଇଁ ବଉଳ କାଠରେ ବାହୁଟ ନିର୍ମାଣ ହୋଇଥାଏ। ଏହି ବାହୁଟ ନିର୍ମାଣ ପାଇଁ ଦଇତାପତିମାନେ କଣ୍ଟ ବା ମାପ କରିଛନ୍ତି। ଏହି ମାପରେ ସ୍ୱତନ୍ତ୍ର ମହାରଣାମାନେ ବାହୁଟ ନିର୍ମାଣ କରିବେ।
ରତ୍ନସିଂହାସନରୁ ଠାକୁରଙ୍କ ପହଣ୍ଡି ପାଇଁ ରତ୍ନ ସିଂହାସନରେ ଚାରମାଳ ବନ୍ଧା ଯାଇଛି। ଏହା ନୀଳାଦ୍ରି ବିଜେ ପହଣ୍ଡି ପର୍ଯ୍ୟନ୍ତ ରହିବ। ବାହୁଟକଣ୍ଟ ନୀତି ପରେ କୋଠ ସୁଆଁସିଆ ଚାରବନ୍ଧା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଆସନ୍ତାକାଲି ସକାଳେ କୋଠ ସୁଆଁସିଆ ବାହାରିବା ପରେ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ରବିବାର ପୂର୍ବାହ୍ଣ ସାଢ଼େ ୧୦ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଆରମ୍ଭ ହେବ। ଦେବସ୍ନାନ ପୂର୍ଣ୍ଣିମା ନୀତି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଅନେକ ଗୋପନୀୟ ସେବାକୁ ଦଇତାପତିମାନେ ସମ୍ପନ୍ନ କରିବାର ପରମ୍ପରା ରହିଛି। ଶ୍ରୀଅଙ୍ଗ ରକ୍ଷକ ଭାବେ ଦଇତାପତିମାନେ ଅଣସର ସେବାରେ ସାମିଲ ହେବେ।
