ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂହ ଆଦର୍ଶ ବିଦ୍ୟାଳୟ ପରିସରରେ ଚାଲିଥିବା ଅଷ୍ଟବିଂଶତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଆଣ୍ଡ ଗାଇଡ କ୍ୟାମ୍ପୋରୀ (ତେଜସ, ୨୦୨୫-୨୬) ଗୁରୁବାର ଦିନ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ ଶିବିରରେ ଜିଲ୍ଲାର ୧୬୨ଟି ବିଦ୍ୟାଳୟରୁ ୪୦୩ ଜଣ ସ୍କାଉଟ, ୧୬୦ ଜଣ ଗାଇଡ ଏବଂ କ୍ରୀଡ଼ା ଶିକ୍ଷକମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଏହି ଉଦଯାପନୀ ଉତ୍ସବରେ ଭାରତ ସ୍କାଉଟ ଆଣ୍ଡ ଗାଇଡର ଜାତୀୟ ଉପସଭାପତି ତଥା ଓଡ଼ିଶା ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, କେବଳ ପାଠ ପଢ଼ା ନୁହେଁ ବରଂ ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରିବା ହିଁ ସ୍କାଉଟ ଗାଇଡ ଆନ୍ଦୋଳନର ମୂଳ ଲକ୍ଷ୍ୟ। ଏହି ଶିବିର ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ସେବା, ଶୃଙ୍ଖଳା ଏବଂ ସାହସିକତାର ମନୋଭାବ ଜାଗ୍ରତ ହୋଇଥାଏ, ଯାହା ସେମାନଙ୍କୁ ଆଗାମୀ ଦିନରେ ଜଣେ ଜଣେ ସୁନାଗରିକ ଭାବେ ଗଢ଼ିତୋଳିବାରେ ସାହାଯ୍ୟ କରିବ।
ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ମୂଳିସିଂହ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ନିବେଦିତା ପଟ୍ଟନାୟକ ଓ ପ୍ରାକ୍ତନ ଜିଲ୍ଲା ସଙ୍ଗଠନ କମିଶନର ବିଜୟ କୁମାର ରଥ ପ୍ରମୁଖ ମଞ୍ଚାସୀନ ହୋଇ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଅତିଥିମାନେ କହିଥିଲେ ଯେ, ଜୀବନରେ କେବଳ ସଫଳତା ପଛରେ ନଗୋଡ଼ାଇ ଜଣେ ‘ଭଲ ମଣିଷ’ ଓ ‘ବଡ଼ ମଣିଷ’ ହେବା ପାଇଁ ଲକ୍ଷ୍ୟ ରଖିବା ଉଚିତ। ସମାଜ ପ୍ରତି ନିଜର ଦାୟିତ୍ୱବୋଧ ଏବଂ ମାନବିକତା ରଖିଲେ ହିଁ ପ୍ରକୃତ ଶିକ୍ଷାର ସାର୍ଥକତା ମିଳିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମଞ୍ଚ ସଞ୍ଚାଳନ କରିଥିଲେ।
ଏହି ଅବସରରେ ଶିବିର ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର ଓ ସିଲ୍ କପ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ଉତ୍ସବର ଶେଷରେ ବିଧିବଦ୍ଧ ଭାବେ ପତାକା ଅବତରଣ କରାଯାଇଥିଲା। ତିନି ଦିନ ଧରି ଏକ ପରିବାର ଭଳି ଏକାଠି ରହିବା ପରେ ବିଦାୟ ବେଳେ ଶିବିରାର୍ଥୀମାନେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ମୂଳିସିଂହ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ।
