ବୟାଳିଶମୌଜା, ୨୨/୦୧: କଟକର ୪୨ ମୌଜା ଅଞ୍ଚଳରେ ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନ ‘ଓଡ଼ିଶା ରାଷ୍ଟ୍ରବାଦୀ ସଙ୍ଗ’ ପକ୍ଷରୁ ଏକ ମହତ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ପକ୍ଷରୁ ବ୍ରହ୍ମପୁର ପଞ୍ଚାୟତ ଉପକଣ୍ଠ ଦୋଳ ମଣ୍ଡପ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅଞ୍ଚଳର ଅସହାୟ ଓ ଗରିବ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଛି।

ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ତଥା ଯୁବ ସଙ୍ଗଠକ ଇଂ. ଗିରିଜା ଶଙ୍କର ପତି ସଭାପତିତ୍ୱ କରି ଶୀତାର୍ତ୍ତଙ୍କୁ ସହାୟତା କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଦେବୀପ୍ରସାଦ ପତି, ଯୁବ ନେତା ଶ୍ରୀ ଯୁବରାଜ ପଣ୍ଡା ଏବଂ ସମାଜସେବୀ ପୀୟୂଷ ପରିଡ଼ା ଯୋଗଦେଇ ଲୋକଙ୍କୁ କମଳ ପ୍ରଦାନ କରିବା ସହ ସେବା ହିଁ ଜୀବନର ଶ୍ରେଷ୍ଠ ବ୍ରତ ବୋଲି ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବୈଜ୍ଞାନିକ ଲଲାଟ କିଶୋର ଚୌଧୁରୀ, କୃଷ୍ଣଚନ୍ଦ୍ର ବେହେରା, କିସାନ ସଙ୍ଘ କଟକ ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତି, ବିଭୁ ପ୍ରସାଦ ନାୟକ ଏବଂ ସାମ୍ବାଦିକ ଦୀପକ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏବଂ ସଂଗଠନର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଶୀତ ସମୟରେ ସଂଗଠନ ପକ୍ଷରୁ ଏଭଳି ସହଯୋଗ ମିଳିଥିବାରୁ ଅଞ୍ଚଳର ଅସହାୟ ଲୋକମାନେ ଖୁସି ବ୍ୟକ୍ତ କରିବା ସହ ସଂଗଠନର ଏହି ପ୍ରଶଂସନୀୟ ଉଦ୍ୟମକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି।
