ରାଉରକେଲା, ୧୮/୧୦: ପିକ୍ନିକ୍ କରିବାକୁ ଯାଇ ଝରଣାରେ ବୁଡ଼ି ଦୁଇଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଚାରିଜଣ ବର୍ତ୍ତିଯାଇଛନ୍ତି। ମୃତକମାନେ ହେଲେ ସେକ୍ଟର-୧୫ର ଓମ୍ ସୁନା (୧୬) ଓ ସେକ୍ଟର-୧ର ଅନୁରାଗ ଦାସ (୧୬)। ସୌଭାଗ୍ୟବଶତଃ ସେକ୍ଟର- ୨୦ର ଅଭଜିତ୍ ହବୋ (୧୬), ସେକ୍ଟର-୬ର ସୁମିତ ସେଟ୍ (୧୬), ସେକ୍ଟର-୨ ଅଭିଷେକ ସାହୁ (୧୬) ଓ ସେକ୍ଟର-୩ର ପ୍ରୀତମ ହାଁସଦା (୧୬) ବର୍ତ୍ତିଯାଇଛନ୍ତି। ସମସ୍ତ ଛାତ୍ର ରାଉରକେଲା ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର। ବ୍ରାହ୍ମଣୀତରଙ୍ଗ ପୁଲିସ ଦୁଇ ମୃତ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ରଖିଛି। ଆସନ୍ତକାଲି (ଶନିବାର) ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ। ଦୁଇ ଛାତ୍ରଙ୍କ ଶବ ଆର୍ଜିଏଚ୍ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
