ଭୁବନେଶ୍ୱର: ରାଜଧାନୀରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ଘର ବିହାରରେ। ଏମିତି କାଣ୍ଡ ଘଟିଛି କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ। ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଅଛନ୍ତି। ପୁଲିସ୍ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ହେଲେ ଅଭିଯୁକ୍ତମାନଙ୍କର ଟେର ପାଇନାହିଁ।
ଗତକାଲି ବିଳମ୍ବିତ ରାତିରେ ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତା କଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିଲେ। କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେ ବଢ଼ିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିଲେ । କିଛି ଅଟୋ ଚାଳକ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି। ପିନ୍ଧିଥିବା ପୋଷାକ ଚିରା ହୋଇଛି। ଏହା ଦେଖି ସେମାନେ ପୁଲିସ୍କୁ ଫୋନ୍ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପୀଡ଼ିତାଙ୍କ ଅବସ୍ଥା ଦେଖି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏ ବିଷୟରେ ତୁରନ୍ତ କ୍ୟାପିଟାଲ ଥାନା ପୁଲିସ୍କୁ ଜଣାଇଥିଲେ। ଖବର ପାଇ ପୁଲିସ୍ ବିଳମ୍ବିତ ରାତିରେ ଗଣବଳାତ୍କାର ଓ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାର ପରିବାର ଲୋକଙ୍କୁ ଯୋଗାଯୋଗ କରିଛି।
