ଭାରତରେ ମାତ୍ର ୨,୫୦୦ ଟଙ୍କାରେ ମିଳୁଥିବା ଔଷଧ ଆମେରିକାରେ ପ୍ରାୟ ୪୨,୦୦୦ ଟଙ୍କା

ରାଜ୍ୟ
Spread the love

ନୂଆଦିଲ୍ଲୀ: ଆମେରିକାର ବ୍ୟୟବହୁଳ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ନେଇ ଭାରତରେ ଚର୍ଚ୍ଚା । ଜଣେ ଭାରତୀୟ ବରିଷ୍ଠ ନାଗରିକଙ୍କ ଅନୁଭୂତି ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଭାରତରେ ମାତ୍ର ୨,୫୦୦ ଟଙ୍କାରେ ମିଳୁଥିବା ଔଷଧ ପାଇଁ ତାଙ୍କୁ ଆମେରିକାରେ ପ୍ରାୟ ୪୨,୦୦୦ ଟଙ୍କା ଗଣିବାକୁ ପଡ଼ିଛି । ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସେ ଓ ତାଙ୍କ ପତ୍ନୀ ଗତ ଦୁଇ ମାସ ହେବ ଆମେରିକାର ସିଆଟଲ୍‌ ସହରରେ ନିଜ ଝିଅ ପାଖରେ ରହୁଛନ୍ତି। ତାଙ୍କ ପତ୍ନୀ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଭାରତରୁ ନେଇଥିବା ଔଷଧ ଶେଷ ହୋଇଯିବା ପରେ ସେମାନଙ୍କୁ ସେଠାରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପଡ଼ିଥିଲା। ସେ ଲେଖିଛନ୍ତି ଯେ, ଔଷଧ ସରିଯିବା ପରେ ସେ ତାଙ୍କ ଝିଅକୁ ଜଣେ ଶ୍ୱାସରୋଗ ବିଶେଷଜ୍ଞଙ୍କ ଆପଏଣ୍ଟମେଣ୍ଟ ନେବାକୁ କହିଥିଲେ। ମାତ୍ର ସେଠାକାର ନିୟମ ଅନୁସାରେ ପ୍ରଥମେ ଜଣେ ଡାକ୍ତର (General Physician)ଙ୍କୁ ଦେଖାଇବାକୁ ପଡ଼ିଲା। ସେଥିପାଇଁ ମଧ୍ୟ ଏକ ସପ୍ତାହ ପରେ ସମୟ ମିଳିଲା ଏବଂ ସେହି ସାକ୍ଷାତକାର ପୁଣି ଭିଡିଓ କଲ୍ ଜରିଆରେ ହୋଇଥିଲା।
ଡାକ୍ତର ଜଣକ ମାତ୍ର ୧୦ ମିନିଟ୍ ଫୋନରେ କଥା ହୋଇ ସମସ୍ୟା ବୁଝିଲେ ଏବଂ ଔଷଧ ଲେଖିଦେଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଔଷଧ ପହଞ୍ଚିବା ପାଇଁ ଆହୁରି ୪-୫ ଦିନ ସମୟ ଲାଗିଲା। ଯେଉଁ ଔଷଧ ସେମାନଙ୍କୁ ମିଳିଲା, ତାହା ଭାରତୀୟ କମ୍ପାନୀ ‘ସିପ୍ଲା’ ଦ୍ୱାରା ନିର୍ମିତ ଏବଂ ସେଥିରେ ‘ମେଡ୍ ଇନ୍ ଇଣ୍ଡିଆ’ ଲେଖା ହୋଇଥିଲା। ସେମାନଙ୍କ ପାଖରେ ଆମେରିକାର ମେଡିକାଲ ଇନସ୍ୟୁରାନ୍ସ (ସ୍ୱାସ୍ଥ୍ୟ ବୀମା) ଥିଲା, ଯାହା ଫଳରେ ଅଧା ଟଙ୍କା ଇନସ୍ୟୁରାନ୍ସ କମ୍ପାନୀ ଦେଇଥିଲା। ତଥାପି, ବୀମା ପରେ ମଧ୍ୟ ସେମାନଙ୍କୁ ନିଜ ପକେଟରୁ ପ୍ରାୟ ୨୧,୦୦୦ ଟଙ୍କା ଦେବାକୁ ପଡ଼ିଲା। ଅର୍ଥାତ୍ ବୀମା ବିନା ସେହି ଔଷଧର ପ୍ରକୃତ ଦାମ୍ ଥିଲା ପ୍ରାୟ ୪୨,୦୦୦ ଟଙ୍କା, ଯାହା ଭାରତରେ ମାତ୍ର ୨,୫୦୦ ଟଙ୍କା।
ଏହା ସହିତ, ଏକ ସପ୍ତାହ ପରେ ତାଙ୍କ ପାଖକୁ ଡାକ୍ତରଙ୍କ ସହ ୧୦ ମିନିଟ୍ ଫୋନରେ କଥା ହେବା ବାବଦକୁ $୨୮୩ (ପ୍ରାୟ ୨୩,୦୦୦ ଟଙ୍କା) ର ଆଉ ଏକ ବିଲ୍ ଆସିଥିଲା। ଭାରତରେ ଯେଉଁ ଔଷଧ ସ୍ଥାନୀୟ ଦୋକାନରୁ ତୁରନ୍ତ ମିଳିଯାଏ, ସେଥିପାଇଁ ଆମେରିକାରେ ୧୨ ଦିନ ସମୟ ଲାଗିଗଲା। ବଉ ତା ସହ ଡାକ୍ତରଙ୍କ ପରାମର୍ଶ ପାଇଁ ଗଲା ୨୩ ହଜାର ଟଙ୍କା ।
ଅବସର ଜୀବନ ପାଇଁ ଭାରତ ଶ୍ରେଷ୍ଠ
ଅଧୀର ସିହ୍ନା ନିଜ ପୋଷ୍ଟରେ ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ମଧ୍ୟବିତ୍ତ ଶ୍ରେଣୀ ପାଉଥିବା ସୁବିଧାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଅବସରପ୍ରାପ୍ତ ଲୋକଙ୍କ ପାଇଁ ଭାରତ ହେଉଛି ସବୁଠାରୁ ଉତ୍ତମ ସ୍ଥାନ। ବିଦେଶରେ ଯେଉଁ ସବୁ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ଏବଂ ଦୀର୍ଘ ସମୟ ଅପେକ୍ଷା କରିବାକୁ ହୁଏ, ଭାରତରେ ତାହା ବହୁତ ସହଜରେ ଏବଂ ଶସ୍ତାରେ ଉପଲବ୍ଧ ହୋଇଥାଏ। ତେଣୁ ଅବସର ଜୀବନରେ ଭାରତରେ ରହୁଥିବା ଲୋକମାନେ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ।

Leave a Reply

Your email address will not be published. Required fields are marked *