ପୁରୀ: ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ରକୁ ଆସିଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେବା ପାଇଁ ଆଗେଇ ଆସିଛି ଏକ ପ୍ରମୁଖ ନାରୀ ସ୍ୱେଚ୍ଛାସେବୀ ସଙ୍ଗଠନ। ରଥ ନିକଟରେ ସଙ୍ଗଠନର ପ୍ରତିନିଧି ଓ ସଦସ୍ୟମାନଙ୍କ ପକ୍ଷରୁ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଙ୍ଗଠନ ପକ୍ଷରୁ ଭକ୍ତମାନଙ୍କୁ ବିଶୁଦ୍ଧ ପାନୀୟ ଜଳ, ବିସ୍କୁଟ ଏବଂ ଚକଲେଟ୍ ବଣ୍ଟନ କରାଯାଇଛି।
ସଙ୍ଗଠନର ସଦସ୍ୟମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ରଥଦାଣ୍ଡରେ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ସେବା ଯୋଗାଇ ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଭକ୍ତମାନଙ୍କ ମଧ୍ୟରେ ୩୦ ପେଟି ବିସ୍କୁଟ ଏବଂ ୨୦ ପେଟି ପାନୀୟ ଜଳ ବଣ୍ଟନ କରାଯାଇଛି। ସଙ୍ଗଠନର ଏହି ମହତ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଆସିଥିବା ଶ୍ରଦ୍ଧାଳୁମାନେ ବେଶ୍ ପ୍ରଶଂସା କରିଛନ୍ତି।
ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେବା କାର୍ଯ୍ୟ କେବଳ ରଥଯାତ୍ରା ଦିନରେ ସୀମିତ ରହିବ ନାହିଁ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ସେବା ଶିବିର ଜାରି ରହିବ। ଏହି ଦିନଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କୁ ଶୋଷରୁ ଆଶ୍ୱସ୍ତି ଦେବା ପାଇଁ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଥଣ୍ଡା ଦହି ପାଣି, ଲେମ୍ବୁ ପାଣି, ବିସ୍କୁଟ ଏବଂ ଚକଲେଟ୍ ଆଦି ବଣ୍ଟନ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି।
ଏହି ସେବା କାର୍ଯ୍ୟକ୍ରମକୁ ସଙ୍ଗଠନର ସଭାପତି ସୁଜାତା ଦାସ ଗୋସ୍ୱାମୀ, ସମ୍ପାଦକା ସରୋଜିନୀ ପ୍ରଧାନ, ପୁରୀ ଜିଲ୍ଲାର ସଂଧ୍ୟାରାଣୀ ରଥ, ଚେୟାରମ୍ୟାନ୍ ମୋନାଲିସା ମହାପାତ୍ର ଏବଂ ଉପ-ସଭାପତି ସୋନମ୍ ଗୋସ୍ୱାମୀ ପ୍ରମୁଖ ନେତୃତ୍ୱ ନେଇ ପରିଚାଳନା କରିଥିଲେ। ସେହିପରି ସମ୍ପାଦିକା ସରୋଜିନୀ ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରିଥିଲେ।
ଏହି ସେବା ଶିବିରରେ ସଙ୍ଗଠନର ଅନେକ ସକ୍ରିୟ ସଦସ୍ୟ ଓ ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି। ସେମାନଙ୍କ ମଧ୍ୟରେ କବିତା ଭୋଇ, କବିତା ନାୟକ, ମୁକ୍ତା ବେହେରା, ଲିନା ଚକ୍ରବର୍ତ୍ତୀ, ପୁଷ୍ପାଞ୍ଜଳୀ ବିଶ୍ୱାଳ, କୁନ୍ତଳା ମଲ୍ଲିକ, ସୁକାନ୍ତ ଭାଇ ଏବଂ ଅକ୍ଷୟ ଭାଇଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ।
