ଜେନେରିକ୍‌ ଔଷଧ ଉପରେ ଟ୍ରମ୍ପ ଲଗାଇଲେ ୨୦୦% ଶୁଳ୍କ

ରାଜ୍ୟ
Spread the love

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ନୀତି ବଜାୟ ରଖି ଜେନେରିକ୍‌ ଔଷଧ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିବ ‌ବୋଲି କହିଛନ୍ତି। ସୋସିଆଲ ମିଡିଆ ଟ୍ରୁଥ୍‌ରେ ସୂଚନା ଦେଇ ସେ ଜଣାଇଛନ୍ତି ଯେ ୨୦୨୬ ଅଗଷ୍ଟ ୧ ପରଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେନେରିକ୍‌ ଔଷଧ ଉପରେ ଶୁଳ୍କ ଶୂନ ପ୍ରତିଶତ ରହିଛି। ୨୦୨୮ ଅଗଷ୍ଟ ୧ଠାରୁ ତାହା ଉପରେ ୧୦୦ ପ୍ରତିଶତ ଓ ୨୦୨୯ ଅଗଷ୍ଟ ପରଠାରୁ ୨୦୦ ପ୍ରତିଶତ ଶୁଳ୍କ ଲାଗିବ। ଆମେରିକାରେ ଜେନେରିକ୍‌ ଔଷଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରମ୍ପ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି। ଯେଉଁ କମ୍ପାନି ଆମେରିକାରେ ଉତ୍ପାଦନ କରିବେ ନାହିଁ, ସେମାନେ ଅଧିକ ଶୁଳ୍କ ଗଣିବାକୁ ବାଧ୍ୟ ହେବେ।
ବ୍ରାଣ୍ଡେଡ୍‌ ହୋଇ ନଥିବା ଓ‌ ପେଟେଣ୍ଟ ଶେଷ ହୋଇଯାଇଥିବା ଔଷଧଗୁଡ଼ିକୁ ଜେନେରିକ୍‌ ଔଷଧ କୁହାଯାଉଛି। ତାହା ସାଧାରଣତଃ ବ୍ରାଣ୍ଡେଡ୍‌ ଔଷଧଠାରୁ ଯଥେଷ୍ଟ କମ୍‌ ଦାମ‌ରେ ମିଳିଛି। ଭାରତରେ ଜନ ଔଷଧୀ ଓ ଦବା ଇଣ୍ଡିଆରେ ମିଳୁଥିବା ଔଷଧଗୁଡ଼ିକ ହେଉଛି ଜେନେରିକ୍‌ ଔଷଧ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଷ୍ଟକ୍‌ ବଜାରରେ ଭାରତୀୟ ଔଷଧ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା। ଆମେରିକାକୁ ଔଷଧ ରପ୍ତାନି କରୁଥିବା କମ୍ପାନି ସିପ୍‌ଲା, ଲୁପିନ୍‌, ସନ୍‌ ଫାର୍ମା, ଡକ୍ଟର ରେଡ୍ଡିସ୍‌, ଜାଇଡସ୍‌ ଲାଇଫ୍‌ସାଇନ୍‌ସେସ୍‌, ଆଲ୍‌କେମ୍‌ ଲାବୋରେଟୋରିଜ୍‌ ଓ ଟୋରେଣ୍ଟ୍‌ ଫାର୍ମାର ସେୟାର ମୂଲ୍ୟରେ ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା।
ଆମେରିକା ଭାରତୀୟ ଔଷଧର ସବୁଠୁ ବଡ଼ ରପ୍ତାନି ବଜାର। କିନ୍ତୁ ସମ୍ପ୍ରତି ସେହି ରପ୍ତାନି ସ୍ଥିର ହୋଇ ହ୍ରାସ ପାଇବାରେ ଲାଗିଛି। ଭାରତର ୩୦ ପ୍ରତିଶତ ଔଷଧ ଆମେରିକା ପଠାଯାଉଛି। ୨୦୨୫-୨୬ରେ ଆମେରିକା, କାନାଡା ଓ ମେକ୍ସିକୋକୁ ଔଷଧ ରପ୍ତାନି ୭.୯ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୬-୨୭ରେ ସେହି ଧାରା ଜାରି ରହିଛି। ଜେନେରିକ ଔଷଧ ଉତ୍ପାଦନ ପାଇଁ ଆମେରିକା ଯେଉଁ ଦୁଇ ବର୍ଷର ଅବଧି ରଖିଛି ସେଥିରେ ତାହା ସଫଳ ହେବା ସନ୍ଦେହ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ନିୟାମକ ଅନୁମୋଦନ ହାସଲଣ କରିବା, କାରଖାନା ନିର୍ମାଣ କରିବା ଏବଂ ସବୁ ପ୍ରକାର ଆବଶ୍ୟକତା ପୂରଣ କରୁଥିବା ଜେନେରିକ୍‌ ଔଷଧ ଉତ୍ପାଦନ କରିବା କାର୍ଯ୍ୟ ଦୁଇ ବର୍ଷରେ ଶେଷ ହେବା ନେଇ ସନ୍ଦେହ ରହିଥିବା ସେମାନେ କହିଛନ୍ତି। ଆମେରିକାରେ ଡାକ୍ତରମାନେ ଲେଖୁଥିବା ୯୦ ପ୍ରତିଶତ ଔଷଧ ହେଉଛି ଜେନେରିକ୍‌। ସେଠାରେ କେବଳ ୧୦ ପ୍ରତିଶତ ବ୍ରାଣ୍ଡେଡ୍‌ ଓ ପେଟେଣ୍ଟଯୁକ୍ତ ଔଷଧ ବିକ୍ରି ହେଉଛି।

Leave a Reply

Your email address will not be published. Required fields are marked *