ବ୍ରିଜ ଭାରତ ସମ୍ମିଳନୀ ୨୦୨୬: ଅଧିକ ପ୍ରଭାବଶାଳୀ ସିଏସ୍‌ଆର୍‌ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ରାଜ୍ୟ
Spread the love

ଭୁବନେଶ୍ୱର: କେବଳ ଆଇନ ଗତ ଅନୁପାଳନ ମଧ୍ୟରେ ସୀମିତ ନରହି କର୍ପୋରେଟ ସଂସ୍ଥାଗୁଡିକ ଓଡ଼ିଶାର ବିକାଶରେ ଦାୟିତ୍ୱବାନ ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ସିଏସଆର (କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ପନସିବିଲିଟି)କୁ ଅଧିକ ପ୍ରଭାବଶାଳୀ କରନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ସାଧାରଣ ଉଦ୍ୟୋଗ (ପବ୍ଲିକ ଏଣ୍ଟରପ୍ରାଇଜେସ) ବିଭାଗ ସହଯୋଗରେ ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଓ ଫ୍ରିଡମ ଏଡୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବ୍ରିଜ ଭାରତ ସମ୍ମିଳନୀ ୨୦୨୬ ଓ “କର୍ପୋରେଟ ସାମାଜିକ ଦାୟିତ୍ୱ: ଦେଖାଯାଉଥିବା ସମସ୍ୟା ଓ ଚାଲେଞ୍ଜ” ଶୀର୍ଷକ ଜାତୀୟ ସେମିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ ହରିବାବୁ କମ୍ବମପଟି କହିଛନ୍ତି।
ରାଜ୍ୟପାଳ କହିଛନ୍ତି, କମ୍ପାନି ଆଇନ ୨୦୧୩ ଅଧୀନରେ ଭାରତର ସିଏସଆର ଢାଞ୍ଚା କର୍ପୋରେଟମାନଙ୍କ ପାଇଁ ସାମାଜିକ ବିକାଶରେ ଅଂଶଗ୍ରହଣର ଏକ ସଂରଚିତ ବ୍ୟବସ୍ଥା ସୃଷ୍ଟି କରିଛି। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ, ପରିବେଶ ସ୍ଥିରତା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରକୁ ସମ୍ବଳ ଯୋଗାଇ ଦିଆ ଯାଇପାରୁଛି।
ଇସ୍ପାତ, ବିଦ୍ୟୁତ, ଖଣି ଓ ଉତ୍ପାଦନ ଭଳି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ ସହ ପରିବେଶ ପ୍ରତି ଦାୟିତ୍ୱ, ଜଳବାୟୁ ସହନଶୀଳତା ଓ ଗୋଷ୍ଠୀ କଲ୍ୟାଣକୁ ଗୁରୁତ୍ୱ ଦେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ସିଏସଆର ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ପୁଷ୍ଟି, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ପ୍ରାଥମିକତା ଦେବାକୁ ଶିଳ୍ପମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ଶିକ୍ଷାକୁ ଏକ ପ୍ରାଥମିକ କ୍ଷେତ୍ର ଭାବେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଶିକ୍ଷକଙ୍କ ଦକ୍ଷତା ବିକାଶ, ଡିଜିଟାଲ ଶିକ୍ଷା, ଛାତ୍ରବୃତ୍ତି ଓ ମେଣ୍ଟରସିପରେ ବିନିଯୋଗ ବିଶେଷ କରି ଆଦିବାସୀ ଓ ପଛୁଆ ଜିଲ୍ଲାର ପ୍ରଥମ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନକୁ ପରିବର୍ତ୍ତନ କରିପାରେ।
ଏତତବ୍ୟତୀତ ସୁପରିକଳ୍ପିତ ସିଏସଆର ପଦକ୍ଷେପଗୁଡ଼ିକ ବିକଶିତ ଓଡ଼ିଶା @୨୦୩୬ ର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଏବଂ ବିକଶିତ ଭାରତ @୨୦୪୭ ର ବୃହତ୍ତର ଜାତୀୟ ଲକ୍ଷ୍ୟରେ ଯୋଗଦାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ରାଜ୍ୟପାଳ କହିଥିଲେ।
ଏହି ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଯାଜପୁର ଯୋଗ ଦେଇ ଡ ରବୀନ୍ଦ୍ର ନାରାୟଣ ବେହେରା, ସାଧାରଣ ଉଦ୍ୟୋଗ ବିଭାଗର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦିକ୍ ଆଲାମ ଏବଂ ଆଇଆର୍‌ଇଡିଏ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ। ବ୍ରିଜ ଭାରତ ସମ୍ମିଳନୀ ୨୦୨୬ର ଅଧ୍ୟକ୍ଷ ଏବଂ ଆଇଆଇଏମ ନାଗପୁରର ଭିଜିଟିଙ୍ଗ ପ୍ରଫେସର ଅରୁଣ କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଫ୍ରିଡମ୍ ଏଡୁ ସର୍ଭିସ ପ୍ରାଇଭେଟ ଲିମିଟେଡର ସିଇଓ ନିଖିଲ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *