ଚେନ୍ନାଇ: ଛାତ୍ର ଆନ୍ଦୋଳନକୁ ନେଇ ଜାରି କରିଥିବା ନିର୍ଦ୍ଦେଶନାମାରୁ ୟୁ-ଟର୍ଣ୍ଣ ନେଇଛନ୍ତି ତାମିଲନାଡୁର କ୍ଷମତାସୀନ ବିଜୟ ସରକାର। ଅଗଷ୍ଟ ୧୪ରେ ଛାତ୍ରଛାତ୍ରୀଙ୍କୁ ବାମପନ୍ଥୀ ଓ ତାମିଲନାଡୁ କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଓ ପ୍ରତିବାଦ ସଭାରେ ସାମିଲ ନହେବାକୁ ଜାରି ହୋଇଥିବା ନିର୍ଦ୍ଦେଶକୁ ବୁଧବାର ପ୍ରତ୍ୟାହାର କରିନେଇଛନ୍ତି ସରକାର।
ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ଆନ୍ଦୋଳନଠାରୁ ଦୂରେଇ ରହିବାକୁ କୁହାଯାଇଥିଲା। ବିଶେଷକରି ସିଜେପି ଓ ବାମପନ୍ଥୀ ସଂଗଠନର କାର୍ଯ୍ୟକ୍ରମରେ ଛାତ୍ର ଓ ଯୁବକଙ୍କ ଭାଗିଦାରୀ ରୋକିବାକୁ ପ୍ରଶାସନକୁ ପଦକ୍ଷେପ ନେବାକୁ କୁହାଯାଇଥିଲା।ଅଗଷ୍ଟ ୧୪ର ଏହି ନିର୍ଦ୍ଦେଶନାମାକୁ ନେଇ ବିଭିନ୍ନ ମହଲରେ ବିବାଦ ଦେଖାଦେଇଥିଲା। ସିଜେପିର ଜାତୀୟ ଆବାହକ ସୌରଭ ଦାସ ଏହି ନିର୍ଦ୍ଦେଶକୁ ଅସାମ୍ବିଧାନିକ ଓ ତର୍କହୀନ ବୋଲି ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ, ବିଜେପି ଏହି ନିର୍ଦ୍ଦେଶକୁ ସମର୍ଥନ କରିଥିଲା।
ବିଜୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ସମୀକରଣ ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତାମିଲନାଡୁରେ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ବାମପନ୍ଥୀ ଦଳଗୁଡ଼ିକର ସମର୍ଥନ ରହିଥିବା ଦାବି କରାଯାଉଛି। ବାମଦଳଗୁଡ଼ିକର ବାହ୍ୟ ସମର୍ଥନ ଯୋଗୁଁ ଟିଭିକେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିଥିବା ଉଲ୍ଲେଖ କରାଯାଇଛି।ଏପଟେ ତାମିଲନାଡୁର ଶିକ୍ଷା ବ୍ୟବସ୍ଥାକୁ ନେଇ ବାମପନ୍ଥୀ ଦଳ ଓ ସିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରେ ଭାଗନେବା ଉପରେ କଟକଣା ଲଗାଇବା ନିଷ୍ପତ୍ତି ନେଇ ସରକାର ଚାପରେ ପଡ଼ିଥିବା ଚର୍ଚ୍ଚା ହେଉଛି।ଅନ୍ୟପକ୍ଷରେ, ‘ତାମିଲନାଡୁ କକ୍ରୋଚ ଜନତା ପାର୍ଟି’ ନାମକ ଏକ ସଂଗଠନକୁ ଆଞ୍ଚଳିକ ରାଜନୈତିକ ଦଳ ଭାବେ ପଞ୍ଜୀକରଣ ପାଇଁ ଚଳିତ ବର୍ଷ ଜୁନ୍ରେ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରାଯାଇଥିଲା। ଆଇନଜୀବୀ ସି. ବ୍ରହ୍ମା ବାଲସୁବ୍ରମଣିୟମଙ୍କ ନେତୃତ୍ୱରେ ଏହି ଆବେଦନ ହୋଇଥିବା ବେଳେ ଏହି ସଂଗଠନ ଅଭିଜିତ ଦୀପକେଙ୍କ ସିଜେପିଠାରୁ ଭିନ୍ନ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା।
ତେବେ ଛାତ୍ର ଆନ୍ଦୋଳନକୁ ରୋକିବା ନେଇ ଅଗଷ୍ଟ ୧୪ର ନିର୍ଦ୍ଦେଶନାମାକୁ ସିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା। ବିଭିନ୍ନ ମହଲରୁ ବିରୋଧ ପରେ ଶେଷରେ ବିଜୟ ସରକାର ନିଜ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିବାରୁ ଏହାକୁ ସରକାରଙ୍କ ୟୁ-ଟର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
