ଆରପାରିରେ ବର୍ଷୀୟାନ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ : କଟକ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ରାଜ୍ୟ
Spread the love

ଭୁବନେଶ୍ୱର: ଆରପାରିରେ ବର୍ଷୀୟାନ ସଙ୍ଗୀତଜ୍ଞପ୍ରଣବ ପଟ୍ଟନାୟକ । ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ୧୯୩୮ ମସିହା ଜାନୁଆରି ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ।ପିଲାଟିଦିନରୁ ତାଙ୍କର ସଂଗୀତ ପ୍ରତି ରୁଚି ରହିଥିଲା। ପ୍ରଥମେ ସେ କଟକ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ମା’ ଚଳଚ୍ଚିତ୍ରରୁ ସେ ପ୍ରଛଦପଟ୍ଟ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।
ତାଙ୍କର ସୁଦୀର୍ଘ କ୍ୟାରିୟର ଭିତରେ ପ୍ରଣବ ପଟ୍ଟନାୟକ ୫୦ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ସେ ବାଳକୃଷ୍ଣ ଦାସ, ଉପେନ୍ଦ୍ର କୁମାର, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ର, ପ୍ରଫୁଲ୍ଲ କର, ଭୁବନେଶ୍ୱର ମିଶ୍ର, ବାସୁଦେବ ରଥ ଏବଂ ସ୍ୱରୂପ ନାୟକଙ୍କ ଭଳି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ।ସେ ଏକାଧିକବାର ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟକ ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ଲାଭ କରିଥିଲେ। ଏତଦ୍ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ମୃତ୍ୟୁରେ ସାରା ସଙ୍ଗୀତ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରଣବ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା ହୋଇଥିଲେ ହେଁ ତାଙ୍କ ଇଛାକୁ ସମ୍ମାନ ଜଣାଇ କଟକ ଖାନନଗର ଶ୍ମଶାନରେ ପରିବାର ଲୋକଙ୍କ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି। ଏଥିସହିତ ପ୍ରଣଵଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

Leave a Reply

Your email address will not be published. Required fields are marked *