ଝଙ୍କଡ଼ : ପ୍ରସିଦ୍ଧ ସାରଳା ମନ୍ଦିର କୁ ଯିବାର , ଅନ୍ୟତମ ବାଇପାସ ରାସ୍ତା ଟି ପାଞ୍ଚବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା l ଯାନିଯାତ୍ରା ଓ ପର୍ବପର୍ବାଣୀ ସମୟରେ, ସାରଳାହାଟ ପାଖରୁ, ପୋଲିସପ୍ରଶାସନ ପକ୍ଷରୁ ମୁଖ୍ୟରାସ୍ତା କୁ ଶୀଲ କରାଯାଉଥିବାରୁ, ସହସ୍ରାଧିକ ଯାତ୍ରୀ ଓ ପର୍ଯ୍ୟଟକ ମାନେ ଏହି କନକପୁର ଦେଉଳି ବାଇପାସ ରାସ୍ତା ଉପରେ ଯାତାୟତ କରିଥାଆନ୍ତି l ମାତ୍ର ଏହି ରାସ୍ତାନିର୍ମାଣ ସମୟରେ ଡ୍ରେନେଜ ବ୍ୟବସ୍ଥା କରାଯାଇନଥିବାରୁ, ଅସରାଏ ବର୍ଷା ହେଲେ, ଭଟ୍ଟଘର ଛକ ପାଖରୁ ପୂର୍ବତନ ସରପଞ୍ଚ ନମିତା ରାଉଳ ଙ୍କ ଘରପର୍ଯ୍ୟନ୍ତ ଆଣ୍ଠିଏ ପାଣି ଜମିରହୁଛି l ଏଠାରେ ଏକ ଡ୍ରେନେଜ ନିର୍ମାଣ ନିମନ୍ତେ ତିର୍ତ୍ତୋଲ ବ୍ଲକପ୍ରଶାସନ ତରଫରୁ ପଚିଶଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିଲା l ମାତ୍ର ତତକାଳୀନ ଜିଲ୍ଲାପରିଷଦ ସଭ୍ୟା ଏଠାରେ ଡ୍ରେନେଜ କରିବାର ଆବଶ୍ୟକତା ନାହିଁ ବୋଲି, ନିଜ ସରକାରୀ ପ୍ୟାଡ଼ ରେ ତିର୍ତ୍ତୋଲ ବିଡ଼ିଓ ଙ୍କ ନିକଟରେ ଲିଖିତ କରି ଏହାକୁ ବାତିଲ କରାଇ ଦେଇଥିଲେ l
ଯାହାଫଳରେ ଏହି ଡ୍ରେନେଜ ନିର୍ମାଣ କାର୍ଯ୍ୟ ହୋଇପାରିଲା ନାହିଁ l ତେବେ ପ୍ରଶ୍ନଉଠୁଛି ରାଜନୈତିକ ଛକାପଞ୍ଜା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟିହେବାରୁ ଆଜି ସାଧାରଣଲୋକ ମାନେ ଏହି ରାସ୍ତାରେ ଯାତାୟତ କଲାବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ବିଶେଷକରି ଏହି ରାସ୍ତା ଦେଇ ଆଖପାଖ ତିରିଶଚାଳିଶ ଟି ଗ୍ରାମର ଲୋକମାନେ ସାରଳାହାଟ କୁ ମଧ୍ୟ ଯାତାୟତ କରୁଥିବାବେଳେ, ଏହି ଗ୍ରାମରେ ପୂଜାପାଉଥିବା ପ୍ରସିଦ୍ଧ କନକେଶ୍ୱର ମହାଦେବ ମନ୍ଦିର କୁ ମଧ୍ୟ ଶହଶହ ଶ୍ରଦ୍ଧାଳୁଭକ୍ତ ମାନେ ପୂଜାର୍ଚ୍ଚନା ଓ ଶ୍ରାବଣମାସରେ ଜଳାଭିଷେକ କରିବାକୁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି l ଅପରପକ୍ଷରେ ଏହି ଦେଉଳି ଗ୍ରାମରେ ସାରଳା ମନ୍ଦିରର ଅଧିକାଂଶ ସେବାୟତ ବସବାସ କରୁଥିବାରୁ ପ୍ରତିଦିନ ମନ୍ଦିର କୁ ଯାତାୟତ କଲାବେଳେ ଏହି ପୂତଗନ୍ଧମୟ ନର୍ଦ୍ଦମା ପାଣିରେ ପଶି ମନ୍ଦିର କୁ ଯାଇଥାନ୍ତି l ସାରଦା ଏକାଡେମୀ ଓ ଅନ୍ୟାନ ସ୍କୁଲ କଲେଜ କୁ ଯାତାୟତ କଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଯେତେଶୀଘ୍ର ଜିଲ୍ଲାପ୍ରଶାସନ ଓ ତିର୍ତ୍ତୋଲ ବ୍ଲକ ପ୍ରଶାସନ ଏହାର ବାସ୍ତବସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସ୍ଥାନୀୟ ଅଞ୍ଚଳ ର ଅଧିବାସୀ ମାନେ ଦୃଢ଼ ଦାବୀକରିଅଛନ୍ତି l
