ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅଧୀନସ୍ଥ “ପ୍ରତୀକ୍ଷା କଳା ଏକାଡେମୀ”ର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଗଣେଶ ଚନ୍ଦ୍ର ମାଣିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିରିଡ଼ି ବ୍ଲକ ସଂସ୍କୃତି ଅଧିକାରୀ ବିଶ୍ୱଜିତ ବିଶ୍ୱାଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ସିନେ କଳାକାର ଯୁଧିଷ୍ଠିର ସାହୁ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ବିରିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଲୋକନାଥ ସାହୁ, ତିର୍ତ୍ତୋଲ ଉତ୍କଳ କଳାକାର ଏକାଡେମୀର ସଂଯୋଜକ ତଥା ସାମ୍ବାଦିକ ଭାଗବତ ପ୍ରସାଦ, ବିରିଡ଼ି ବରିଷ୍ଠ ନାଗରିକ ମଞ୍ଚର ସଭାପତି ଯୁଧିଷ୍ଠିର ଦାସ ଏବଂ ସଙ୍ଗୀତ ଗୁରୁ ପତିତପାବନ ଜେନା ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ସଙ୍ଗୀତ ଗୁରୁ ପତିତପାବନ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏକାଡେମୀର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷିତ ହୋଇଥିଲା। ସଭାପତି ଶ୍ରୀ ମାଣିଆ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏକାଡେମୀ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିଷ୍ଠାତ୍ରୀ ତଥା ସମ୍ପାଦିକା ସ୍ୱପ୍ନାରାଣୀ ମିଶ୍ରଙ୍କୁ ଉପସ୍ଥିତ ଅତିଥି ଓ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ନାରାୟଣ ମିଶ୍ର, ଗୋପାଳ ରାଓ ଦୋରା, କିଶୋର ପଟ୍ଟନାୟକ, ସୁବ୍ରତ ମହାନ୍ତି, ପ୍ରଶାନ୍ତ ମାଣିଆ, ସ୍ୱପ୍ନକାନ୍ତ ସ୍ୱାଇଁ, ଭାବଗ୍ରାହୀ ସ୍ୱାଇଁ, ପ୍ରତାପ ଦଳେଇ, ବିଶ୍ୱଜିତ ସାହୁ, ସୁରେଶ ନାୟକ ଓ ବିଶ୍ୱମ୍ବର ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ସଦସ୍ୟ କିଶୋର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
