ଝଙ୍କଡ଼ : ବାଲି ମାଫିଆଙ୍କ ଚୋରା ଚାଲାଣ ବାଲିକୁ, ସରକାରୀ ଭାବେ ଜବତ ହୋଇ ସୁରକ୍ଷିତ ରଖା ଯାଇ ଥିବା ସ୍ଥାନରୁ,ବେଆଇନ ଭାବେ ଉଠାଇ ହାଇୱାରେ ଲୋଡ୍ କରି ନେବାକୁ ଉଦ୍ୟମ କରୁଥିବା ବେଳେ, ତିର୍ତ୍ତୋଲ ପୁଲିସର ଚଢ଼ାଉ |
ଘଟଣା ସ୍ଥଳରୁ ହାଇୱା ଚାଳକ ସମେତ ଅନ୍ୟମାନେ ଛୁ ମନ୍ତର ହେଇଥିବା ବେଳେ, ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ | ଏଥିସହ ଜବତ ହେଇଛି ବାଲି ବୋଝେଇ ହାଇୱା ଓ ଦୁଇଟି ମୋବାଇଲ ଫୋନ |
ପୁଲିସ ସୂଚନା ଅନୁଯାୟୀ, ହରିପୁର ଗ୍ରାମରେ ସରକାରଙ୍କ ଦ୍ୱାରା ଜବତ ହୋଇଥିବା ଚୋରା ଚାଲାଣ ବାଲିକୁ ଏକ ସୁରକ୍ଷିତ ଷ୍ଟାକ୍ରେ ରଖା ଯାଇଥିଲା ବେଳେ, କେତେକ ମାଫିଆ ଗୋଷ୍ଟୀ ଉକ୍ତ ବାଲିକୁ ବେଆଇନ ଭାବେ ଉଠାଇ ହାଇୱାରେ ଭର୍ତ୍ତି କରୁଥିଲେ | ଖବର ପାଇ ତିର୍ତ୍ତୋଲ ଥାନା ଏସ୍ଆଇ ଜୟଦୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମାଫିଆଙ୍କ ବୁଦ୍ଧି ଶୁନ୍ୟ କରି ଦେଇଥିଲେ |ପୁଲିସକୁ ଦେଖି ହାଇୱା ଚାଳକ ଓ ଅନ୍ୟ ସହଯୋଗୀ ମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇ ଥିଲେ ମଧ୍ୟ ଜଣଙ୍କୁ କାବୁ କରିଥିଲା ପୋଲିସ | ପରିଚୟରୁ ଜଣାଯାଇଛି ଯେ ଆସାମୀ ଜଣକ କୁଜଙ୍ଗ ଥାନା ଅନ୍ତର୍ଗତ ଚୌଧୁରୀକୁଦ ଗ୍ରାମର ସ୍ବର୍ଗତଃ ନରେଶ କୁମାର ଦାସ ଙ୍କ ପୁତ୍ର ମୁନା ଓରଫ ବିବେକ ଦାସ |
ଘଟଣା ସ୍ଥଳରୁ OD-21Q-4257 ନମ୍ବର ବିଶିଷ୍ଟ ବାଲି ବୋଝେଇ ଏକ ହାଇୱା,ଓ ଦୁଇଟି ମୋବାଇଲ ଫୋନ ଅଭିଯୁକ୍ତ ଙ୍କ ନିକଟରୁ ଜବତ କରାଯାଇଛି | ଏନେଇ ତିର୍ତ୍ତୋଲ ଥାନାରେ କେସ୍ ନଂ-୩୯୮/୨୬,ରେ ବିଏନ୍ଏସ୍ର ବିଭିନ୍ନ ଧାରା ସମେତ ଓଏମ୍ଏମ୍ସି ରୁଲ୍ର ଧାରା ୫୧(୧) ଏବଂ ସରକାରୀ ସମ୍ପତ୍ତି ନଷ୍ଟ ନିବାରଣ ଆଇନ, ୧୯୮୪ର ଧାରା ୪ ଅନୁଯାୟୀ ମାମଲା ରୁଜୁ ହୋଇଛି | ଅଭିଯୁକ୍ତ ମୁନା ଓରଫ ବିବେକ ଦାସଙ୍କୁ ପୁଲିସ ଗିରଫ କରି ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ତିର୍ତ୍ତୋଲସ୍ଥିତ ଜେଏମ୍ଏଫ୍ସିଙ୍କ ଅଦାଲତରେ ହାଜର କରିଛି | ଘଟଣା ସ୍ଥଳରୁ ଫେରାର ଥିବା ଅନ୍ୟମାନଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖି ଥିବାର ପୋଲିସ ସୂତ୍ରରୁ ପ୍ରକାଶ |
