ଝଙ୍କଡ଼ : ପ୍ରତିହିଂସା ପାରାୟଣ ହୋଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ଅଭିଯୋଗରେ କୃଷ୍ଣାନନ୍ଦପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଲେ ମିର୍ଜାପୁର ଗ୍ରାମର ୨୩ ବର୍ଷୀୟ ପର୍ଶୁରାମ ରାଉତ | ସୂଚନା ଅନୁଯାୟୀ, ମିର୍ଜାପୁର ଗ୍ରାମର ସୁରେଶ କୁମାର ରାଉତ ଏଭଳି ବିଷୟକୁ ନେଇ କୃଷ୍ଣାନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ଆଧାରରେ କୃଷ୍ଣାନନ୍ଦପୁର ଥାନାରେ କେସ୍ ନଂ-୧୦୩/୨୬ ରେ ବିଏନଏସ୍ର ଧାରା ୧୨୬(୨)/୨୯୬/୧୧୫(୨)/୧୦୯(୧)/୩୫୧(୩)/୩(୫)ରେ ମାମଲା ରୁଜୁ ହୋଇଥିଲା | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପର୍ଶୁରାମ ଭୁଜାଲିରେ ସୁରେଶଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି | ଏଥିରେ ସୁରେଶଙ୍କ ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି | ମାମଲାର ତଦନ୍ତ ସମୟରେ ପୁଲିସ ଘଟଣାରେ ବ୍ୟବହୃତ ଭୁଜାଲିକୁ ଜବତ କରିଛି |ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପର୍ଶୁରାମ ରାଉତଙ୍କୁ ଗିରଫ କରିବା ସହିତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ତାଙ୍କୁ ତିର୍ତ୍ତୋଲ ଜେଏମ୍ଏଫ୍ସି ଅଦାଲତରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି |
