କଟକ ସଦର: ପାର୍ବଣ ଋତୁର ପ୍ରଥମ ପୂଜା ଗଣେଶ ପୂଜାକୁ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ, କଟକ କମିଶନରେଟ ପୋଲିସ ପକ୍ଷରୁ ସହିଦ୍ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ କଟକର ପୂଜା କମିଟି, ଶାନ୍ତି କମିଟିର କାର୍ଯ୍ୟକର୍ତ୍ତା, ବିଭିନ୍ନ ପୂଜା ମଣ୍ଡପ ଓ କ୍ଲବର କର୍ମକର୍ତ୍ତାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଭୁବନେଶ୍ବର କଟକ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ, କଟକ ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ବାଳ, କେଏମସି ମେୟର ସୁବାସ ସିଂହ ପ୍ରମୁଖ ଅନ୍ୟତମ।
ବୈଠକରେ ପୋଲିସର ମାର୍ଗଦର୍ଶିକା ଅନୁଯାୟୀ ପୂଜା ଓ ଭସାଣି ଯାତ୍ରା ଆୟୋଜନ କରିବାକୁ ଆଲୋଚନା କରାଯାଇଥିଲା। ଏହା ସହିତ କମିଶନରେଟର ସମସ୍ତ ଥାନାର ଅଧିକାରୀ ମାନଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ଗଣେଶ ପୂଜାକୁ କିପରି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବରେ ପାଳନ କରାଯାଇପାରିବ। ପୋଲିସ କମିଶନର ଏବଂ ଅନ୍ୟ ଅଧିକାରୀମାନେ ବିଭିନ୍ନ ସମସ୍ୟା ଏବଂ ସମାଧାନ ଉପରେ ଆଲୋଚନା କରିଥିଲେ। ପୂଜା ପାଇଁ କିପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କିପରି କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ବୈଠକ ଦ୍ଵାରା କଟକରେ ଗଣେଶ ପୂଜାକୁ ଆହୁରି ଆନନ୍ଦମୟ ଓ ଶୃଙ୍ଖଳିତ ଭାବେ ପାଳନ କରିବାର ସମ୍ଭାବନା ବଢିଯାଇଛି।
