Odisha Police

ଏଣିକି ହ୍ୱାଟ୍ସଆପ୍‌ରେ ମିଳିବ ୧୪ଟି ପୋଲିସ ସେବା: ଓଡ଼ିଶା ପୋଲିସର ନୂଆ ପଦକ୍ଷେପ ‘ଆମ ସାଥୀ’ ବଟ୍‌ର ଶୁଭାରମ୍ଭ

ରାଜ୍ୟ
Spread the love

ଭୁବନେଶ୍ବର :  ଓଡ଼ିଶାରେ ଡିଜିଟାଲ ପୋଲିସିଂ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ପୋଲିସ ସେବାକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ନାଗରିକ-କେନ୍ଦ୍ରିକ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ସାଧାରଣ ଲୋକଙ୍କୁ ବିଭିନ୍ନ ଜରୁରୀ ସେବା ପାଇଁ ପୋଲିସ ଥାନା କିମ୍ବା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ, ବରଂ ନିଜ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଘରେ ବସି ସେମାନେ ଏହି ସୁବିଧା ପାଇପାରିବେ। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ୍‌ରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ବିନୟତୋଷ ମିଶ୍ର ଆଜି ଏହି ଅଭିନବ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୫ ଡିସେମ୍ବର ୨୫ ତାରିଖ ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ର ପରିକଳ୍ପନା କରିଥିଲେ, ଯାହାର ପରିସରରେ ଏବେ ପୋଲିସ ସେବାଗୁଡ଼ିକୁ ସାମିଲ କରାଯାଇଛି।

ଏହି ସୁବିଧା ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (SCRB), ଓଡ଼ିଶା ପୋଲିସ ଏବଂ ମେଟା ଇଣ୍ଡିଆ (ହ୍ୱାଟ୍ସଆପ୍‌)ର ମିଳିତ ସହଭାଗିତାରେ ବିକଶିତ କରାଯାଇଛି। ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ନାଗରିକମାନେ ଚରିତ୍ର ପ୍ରମାଣପତ୍ର, ବରିଷ୍ଠ ନାଗରିକ ପଞ୍ଜୀକରଣ, କର୍ମଚାରୀ ସତ୍ୟାପନ, ହଜିଯାଇଥିବା ସମ୍ପତ୍ତି ବା ଦଲିଲ୍ ସମ୍ପର୍କିତ ରିପୋର୍ଟ, ଲାଉଡ୍‌ସ୍ପିକର୍ ବ୍ୟବହାର ପାଇଁ ଅନୁମତି (NOC), ଏବଂ ଭଡ଼ାଟିଆ କିମ୍ବା ପିଜି (PG) ସତ୍ୟାପନ ଭଳି ସେବା ପାଇପାରିବେ। ଏହା ବ୍ୟତୀତ ନିଖୋଜ ବ୍ୟକ୍ତିଙ୍କ ସୂଚନା, ଅଭିଯୋଗ ପଞ୍ଜୀକରଣ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବା ଧାରଣା ପାଇଁ ଅନୁମତି, FIR ର ନକଲ ଏବଂ ସଡ଼କ ଦୁର୍ଘଟଣା ବା ଚୋରି ମାମଲାର ‘ଫାଇନାଲ୍ ଫର୍ମ’ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ଉପଲବ୍ଧ ହେବ।

ଏହି ସେବାର ଲାଭ ଉଠାଇବା ପାଇଁ ନାଗରିକମାନଙ୍କୁ ନିଜ ମୋବାଇଲ୍‌ରେ ‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ସେଭ୍ କରିବାକୁ ପଡ଼ିବ। ଏହି ନମ୍ବରକୁ ‘Hi’ ଲେଖି ପଠାଇବା ପରେ ବ୍ୟବହାରକାରୀ ନିଜର ପସନ୍ଦର ଭାଷା ଚୟନ କରିପାରିବେ ଏବଂ ତାଲିକାରୁ ଆବଶ୍ୟକୀୟ ସେବା ବାଛିପାରିବେ। ଆବେଦନ ପାଇଁ ଦରକାରୀ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଦାଖଲ କଲା ପରେ ଏକ ରେଫରେନ୍ସ ନମ୍ବର ମିଳିବ, ଯାହା ସାହାଯ୍ୟରେ ପରବର୍ତ୍ତୀ ସମୟରେ ଆବେଦନର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରକ୍ରିୟା ଶେଷ ହେବା ପରେ ଅନୁମୋଦିତ ଡିଜିଟାଲ୍ ଦଲିଲ୍ ବା ପ୍ରମାଣପତ୍ର ମଧ୍ୟ ହ୍ୱାଟ୍ସଆପ୍‌ରେ ସିଧାସଳଖ ପାଇହେବ।

ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ଦିଗରେ ଏହା ଏକ ବିରାଟ ପଦକ୍ଷେପ। ଏହି କାର୍ଯ୍ୟକ୍ରମରେ ଏସସିଆରବି ନିର୍ଦ୍ଦେଶକ ଶ୍ରୀ ଅବିନାଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର ଡଃ ଏସ. ଦେବଦତ୍ତ ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ନୂତନ ବ୍ୟବସ୍ଥା ଦ୍ୱାରା ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବା ସହ ସାଧାରଣ ଲୋକେ ବିନା କୌଣସି ହଇରାଣରେ ତୁରନ୍ତ ସେବା ପାଇପାରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *