ମାହାଙ୍ଗା : ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ ନାଟକରେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜର କଳା ନୈପୁଣ୍ୟତାକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରି ଅଜସ୍ର ସଫଳତା ସାଉଁଟି ଥିବା ହାରାମଣି ରାଉତ ଆଉ ଇହ ଜଗତରେ ନାହାନ୍ତି l ଯେତେବେଳେ ନାରୀ କଳାକାରଟିଏ ମୁହଁରେ ରଙ୍ଗ ବୋଳି ଅଭିନୟ ପାଇଁ ବାହାରିବା ଦୁରୂହ ବ୍ୟାପାର ଥିଲା, ସେତେବେଳେ ଅର୍ଥାତ ପଚାଶ ବର୍ଷ ତଳେ ଯୁବତୀ ମାନେ ମଞ୍ଚମୁହାଁ ହେବା କ୍ଵଚିତ ଦେଖିବାକୁ ମିଳୁଥିଲା l ସେହି ସମୟରେ ନିଜକୁ ଜଣେ ସଫଳ ନାରୀ ଅଭିନେତ୍ରୀ ଭାବେ ପ୍ରମାଣିତ କରିପାରିଥିଲେ ହାରାମଣି ଦେବୀ l
ମାହାଙ୍ଗା ବ୍ଲକ ପୋଡାମରାଇ ପଞ୍ଚାୟତ ଏରକଣା ଗ୍ରାମର ହାରାମଣି କେବଳ ଗୀତିନାଟ୍ୟରେ ଅଭିନୟ କରୁଥିଲେ ସେକଥା ନୁହେଁ l ସେ ନିଜ ଗ୍ରାମର ମହିଳା ମାନଙ୍କୁ ଏକାଠି କରି ସ୍ୱାୟଂସହାୟକ ଗୋଷ୍ଠୀ ଗଠନର ମୁଖ୍ୟ ବିନ୍ଧାଣୀ ଥିଲେ l ପଞ୍ଚାୟତର ନାଏବ ସରପଞ୍ଚ, ଏକାଧିକ ବାର ୱାର୍ଡ ସଭ୍ୟା ଭାବେ ସେ ମଧ୍ୟ ଦାୟୀତ୍ୱ ନିର୍ବାହ କରିଛନ୍ତି l ଜଣେ କଳା ସାହିତ୍ୟ ସଂସ୍କୃତି ପ୍ରେମୀ ଆଧ୍ୟାତ୍ମିକବାଦୀ ମହିଳା ଭାବେ ତାଙ୍କର ବେଶ ସୁଖ୍ୟାତି ରହିଛି l
ତାଙ୍କର ୩ ପୁଅଙ୍କ ଭିତରୁ ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ ଜଣେ ସାହିତ୍ୟିକ ଓ ସାରସ୍ୱତ ସଂଗଠକ ଅଟନ୍ତି l ପୁତ୍ର ହରେକୃଷ୍ଣ ଓ ପରମାନନ୍ଦ ମଧ୍ୟ ମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଭଲକାମ କରୁଛନ୍ତି l ହାରାମଣିଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ,ସାହିତ୍ୟିକ ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ଜନାର୍ଦ୍ଦନ ରାଉତ,ଡକ୍ଟର ଭୁବନାନନ୍ଦ ସାହୁ,ଡକ୍ଟର ଭାବଗ୍ରାହୀ ରାଉତ,ଡକ୍ଟର ମନୋଜ କୁମାର ମିଶ୍ର, ନାଟ୍ୟକାର ଅଭୟ ଦାସ, ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତି, ମହିମା ଗବେଷକ ଡକ୍ଟର ଏକାଦଶୀ ପ୍ରଧାନ,ଔପନ୍ୟାସିକା ବିଦୁଲତା ପ୍ରଧାନ, କବି ଭକ୍ତ ଚରଣ ସାହୁ, କବି ଗୌତମ ଜେନା, କବି ରାଜକିଶୋର ମିଶ୍ର,ଡକ୍ଟର ଜୟରାମ ସ୍ୱାଇଁ, ଇଞ୍ଜିନିୟର ମନୋଜ ପାତ୍ର,ଡକ୍ଟର ଅମରେନ୍ଦ୍ର ମହାନ୍ତି,ଗୀତିକାର ବିଶ୍ୱେଶ୍ୱର ମହାନ୍ତି, କବି ପ୍ରଶାନ୍ତ କର,କବି ଅକ୍ଷୟ ଖଟୁଆ, ସାମ୍ବାଦିକ ବିବେକାନନ୍ଦ ଦାସ, ସାମ୍ବାଦିକ ବିଜୟ କୁଅଁର, ନାଟ୍ୟକାର ମନୋଜ ପଣ୍ଡା, କବି ପ୍ରଫୁଲ୍ଲ କୁମାର ସାହୁ, କବି ପ୍ରଫୁଲ୍ଲ ସିଂ, ଜତୀଞ୍ଜୟ କୁଅଁର,ନଳିନୀକାନ୍ତ ନାୟକ, ସନ୍ତୋଷ ମହାପାତ୍ର ପ୍ରମୁଖ ସ୍ବର୍ଗତ ହାରାମଣି ଦେବୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l ପୁରୀ ସ୍ବର୍ଗଦ୍ୱାରରେ ହାରାମଣିଙ୍କ ଅନ୍ତିମ ସତ୍କାର କରାଯାଇଥିବା ବେଳେ, ଜ୍ୟେଷ୍ଠ ପୁତ୍ର ଅଶୋକ ମୁଖାଗ୍ନି ଦେଇଥିଲେ l
